ସମୀକ୍ଷା ବ୍ୟୁରୋ
କଳାହାଣ୍ଡି, 16/14 : ରାଜ୍ୟରେ ଗଣଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ଏପରି ଘଟଣା ଆମ ନଜରକୁ ଆସୁଛି। ଆଜି ରାଜ୍ୟରେ ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏପରି ଏକ ଅଘଟଣ ଘଟିଛି। ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ନାଳ ଭିତରକୁ ଟେକି ନେଇ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଗତ 12 ତାରିଖ ଦିନ ବିବାହିତା ମହିଳା ଟଙ୍କା ଉଠାଇବା ପାଇଁ ଏଟିଏମ୍କୁ ଯାଉଥିବାବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ତିନି ଯୁବକ ତାଙ୍କୁ ଟେକିନେଇ ଏପରି କାମ କରିଥିଲେ ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସଦର ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି।
ଆଜିର ଦିନରେ ଠିକ୍ 7 ବର୍ଷ ତଳେ ଦିଲ୍ଲୀଠାରେ ନିର୍ଭୟା ଗଣ ଦୁଷ୍କର୍ମମାମଲା ଘଟିଥିଲା। ଏହି ଘଟଣା ପରେ ଦେଶରେ ଦୁଷ୍କର୍ମ ନେଇ କଠୋର ଆଇନ୍ ଆସିଥିଲେ ବି ଦୁଷ୍କର୍ମ ଘଟଣା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ନିକଟରେ ହାଇଦ୍ରାବାଦର ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲା ହେଉ ଅଥବା ଉନ୍ନାଓ ମାମଲା। ଅନେକ ଘଟଣା ଆମ ଆଖି ସାମ୍ନାରେ ଘଟିଯାଉଛି। ପ୍ରତ୍ୟେକ ଦିନ କେତେ ନିରୀହ ଜୀବନ ଏହାର ଶିକାର ହେଉଛନ୍ତି। ଦୁଷ୍କର୍ମ ପରି ଅପରାଧ ପାଇଁ କେନ୍ଦ୍ର ସରକାର କଡ଼ା ନିୟମ ପ୍ରଚଳନ କରିଥିଲେ ବି ଆଇନ ଆଖିରେ ଦୋଷୀ କେତେବେଳେ ଖସି ଯାଉଛି। ତେବେ ସମ୍ପ୍ରତି ରାଜ୍ୟରେ ଘଟି ଚାଲିଥିବା ଏପରି ଅମାନବୀୟ କାଣ୍ଡର ପ୍ରତିରୋଧ କରିବା ପାଇଁ 68ଟି ଫାଷ୍ଟ ଟ୍ରାକ୍ କୋର୍ଟର ଖୋଲାଯିବା ନେଇ ସୂଚନା ରହିଛି।