Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ
ବିଶେଷ ଖବର

କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ

April 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha Kandhamala parliament constituency review
Odisha Kandhamala parliament constituency review

କେଦାର ମିଶ୍ର

କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ନାରାୟଣ ସିଂ ୫୦.୨୮% ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସେଠାରୁ ମାତ୍ର ୧୨.୯୫% ଭୋଟ ପାଇଥିଲେ। ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ୬୧.୫୪% ଭୋଟ ପାଇଥିଲେ। ଏହି ଉପ ନିର୍ବାଚନରେ ଯଦିଓ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କ ଭୋଟ ପ୍ରତିଶତ ୧୦.୦୭% ବଢିଥିଲା, ସମାନୁପାତରେ ବିଜେଡ଼ିର ଭୋଟ ପ୍ରତିଶତ ମଧ୍ୟ ୧୧.୩୩% ବଢିଥିଲା।

କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ଆସନ ଯଥା ଭଞ୍ଜନଗର, ଘୁମୁସର ଉଦୟଗିରି, ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ ଓ ଦଶପଲ୍ଲା ବିଧାନସଭା ଭିତରୁ କେବଳ ଜି.ଉଦୟଗିରିକୁ ବାଦ ଦେଲେ ବାକି ସବୁଠି ବିଜେଡି ବିଧାୟକ ଜିତିଥିଲେ। କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଗତଥର ଏକମାତ୍ର କଂଗ୍ରେସ ବିଧାୟକ ଭାବରେ ଏଠାରୁ ଜିତିଥିଲେ ମଧ୍ୟ କଂଗ୍ରେସ ଏଥର ତାଙ୍କୁ ଟିକଟ ଦେଇନାହିଁ। ଏଥର ନିର୍ବାଚନରେ କନ୍ଧମାଳର ସମୀକରଣ ବହୁ ବିଚିତ୍ର। ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ କନ୍ଧମାଳ ବାହାର ଲୋକ ହୋଇଥିବା ବେଳେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟଙ୍କ ସେତେ ବେଶୀ ପ୍ରଭାବ ନାହିଁ। ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦାନ କରିଥିବା ପୂର୍ବତନ ବାଲେଶ୍ଵର ସାଂସଦ ଐର ଖାରବେଳ ସ୍ଵାଇଁଙ୍କୁ ବିଜେପି ଏଠାରେ ଥଇଥାନ କରିଛି। କନ୍ଧମାଳ ସହିତ ଦୂର ଦୂର ପର୍ୟନ୍ତ ଖାରବେଳଙ୍କର କୌଣସି ସମ୍ପର୍କ ନଥିବା ବେଳେ ସ୍ଥାନୀୟ ବିଜେପି ସଙ୍ଗଠନରେ ମଧ୍ୟ ତାଙ୍କୁ ନେଇ ସଙ୍କଟ ରହିଛି।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟ ରାଜନୀତିରେ ନବାଗତ ଓ ତାଙ୍କର ପ୍ରଭାବ କେବଳ ବାଲିଗୁଡା ଅଞ୍ଚଳରେ ସୀମିତ। ଏ ପ୍ରକାର ଶୂନ୍ୟସ୍ଥାନ ଭିତରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଗତସିଂପୁର ଜିଲ୍ଲାର ଲୋକ ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନ “କିସ’ ଜରିଆରେ ତାଙ୍କର ବିଶେଷ ପରିଚୟ ରହିଛି। କନ୍ଧମାଳର ପ୍ରାୟ ସବୁ ଗାଁ ରୁ କିଛି କିଛି ପିଲା “କିସ’ ରେ ପାଠ ପଢୁଛନ୍ତି ଓ ଏହା ହିଁ ଅଚ୍ୟୁତଙ୍କୁ କନ୍ଧମାଳରେ ଏକ ସହଜ ପରିଚିତି ଦେଇଛି। ବାକି ଦୁଇ ପ୍ରତିପକ୍ଷ ଦଳର ଲୋକ ଏଠାରେ ପ୍ରାୟ ଅପରିଚିତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କର କନ୍ଧମାଳ ଜିଲ୍ଲାରେ ଖାସ ପରିଚୟ ରହିଛି। ଯାହା ବାଲିଗୁଡାର ସେ ବିଜେପି କର୍ମୀ କହୁଥିଲେ, କିଛି କଂଗ୍ରେସ କର୍ମୀଙ୍କ ମତ ମଧ୍ୟ ସେୟା। ଶ୍ରୀ ସାମନ୍ତ କନ୍ଧମାଳରେ ଏକ ପ୍ରକାର ସର୍ବଦଳୀୟ ପ୍ରାର୍ଥୀ ହୋଇପଡିଛନ୍ତି। ପ୍ରାଥମିକ ଭାବରେ ଶ୍ରୀ ସାମନ୍ତଙ୍କୁ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଯେଉଁ ହିଚକିଚ ଥିଲା, ତାହା ଏବେ ଆଉ ନାହିଁ। ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶ୍ରୀ ସାମନ୍ତଙ୍କୁ ଏକପ୍ରକାର ବୋନସ ବୋଲି କୁହାଯାଇପାରେ।

ତେବେ ବିଜେଡି ଓ ଶ୍ରୀ ସାମନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ବୌଦ ଜିଲ୍ଲାରେ ରହିଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଲୋକଙ୍କ ରୋଷର ଶିକାର ହେଉଥିବାବେଳେ ବୌଦ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ପ୍ରତି ଲୋକ ସମର୍ଥନ ଢେର କମିଛି। ଉଭୟ ଆସନରେ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ପରିସ୍ଥିତି କୁ ଆହୁରି ଜଟିଳ କରିଛନ୍ତି। ଦଶପଲ୍ଲା ଆସନରେ ମଧ୍ୟ ବିଜେଡି ଅସନ୍ତୋଷର ସାମ୍ନା କରୁଛି। ଏହି ସବୁ ଆସନକୁ ଜିଣିବା ଏଥର ବିଜେଡି ଲାଗି ସବୁଠୁ କଷ୍ଟକର ହୋଇପଡିବ। କଣ୍ଟାମାଳ ଆସନ ବିଜେଡି ର ହାତଛଡା ହେବା ଏକପ୍ରକାର ସୁନିଶ୍ଚିତ ମନେ ହେଉଥିବାବେଳେ ପ୍ରଦୀପ ଅମାତଙ୍କୁ ବୌଦରେ ଜିଣିବା ଲାଗି ପ୍ରଚୁର ସଂଘର୍ଷ କରିବାକୁ ପଡିବ। ଏଠାରେ ସିପିଆଇ ର ପ୍ରାର୍ଥୀ ଅବକାଶ ସାହୁଙ୍କର ହରଭଙ୍ଗା ଅଞ୍ଚଳରେ ଯଥେଷ୍ଟ ଭଲ ସଂଗଠନ ରହିଛି। ସେ ବିଜେଡି ଭୋଟ ବିଭାଜିତ କରି ପାରନ୍ତି। ତେବେ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ୟା ଓ ସଙ୍କଟର କୌଣସି ପ୍ରଭାବ ଅଚ୍ୟୁତ ସାମନ୍ତଙ୍କ ଉପରେ ପଡୁନାହିଁ। ବିଜେଡ଼ିର ଯେଉଁ ଅଳ୍ପ କେତେଜଣ ସାଂସଦ ପ୍ରାର୍ଥୀଙ୍କ ବିଜୟ ସବୁଠୁ ସହଜ ବୋଲି କୁହାଯାଇପାରେ, ସେଥିରେ ଅଚ୍ୟୁତ ସାମନ୍ତଙ୍କ ନାମ ଏକ ନମ୍ବରରେ ଆସିବ।

assemblyelection BJD BJP election kandhamala vote
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.