ନିର୍ବାଚନୀ ହିଂସା : ୯ ଜଣ ବିଜେପି କର୍ମୀ ଆହତ

Published: Apr 17, 2019, 5:08 pm IST
ସ୍ଥାନୀୟ ନିଳାଦ୍ରିବିହାର ମଙ୍ଗଳାବସ୍ତିରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ବେଳେ ଆକ୍ରମଣ କରାଯିବାରୁ ୯ଜଣ ଭାଜପା କର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଭୁବନେଶ୍ୱର ଜିଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଭାଜପା କର୍ମୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଯାଇଛି। ଗତ ରବିବାର ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେହିପରି ବିଜେପୁରର ବିଜେପି ପ୍ରାର୍ଥୀ  ସନତ ଗଡତିଆଙ୍କ ଗାଡି ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଆଜି ସନତ ନିଜ ସହକର୍ମୀଙ୍କ ସହ କାରରେ ବିଜେପୁର କନ୍ଧରା ଗ୍ରାମ ଦେଇ ଗସ୍ତ କରୁଥିଲେ। ଏହି ସମୟରେ କିଛି ବ୍ୟକ୍ତି ଗାଡି ଉପରକୁ ଢେଲାମାଡ କରିଥିଲେ। ଏଥିରେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଥିଲା। ଚଳିତ ଥର ବିଜେପୁର ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଥିବାବେଳେ ବିଜେପି ତରଫରୁ ଏହି ଆସନରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଛନ୍ତି।

Related posts