ଯୋଗୀଙ୍କ ପ୍ରତି ଇସିଙ୍କ ପକ୍ଷପାତିତାକୁ ନେଇ ବର୍ଷିଲେ ମାୟାବତୀ

Published: Apr 18, 2019, 4:33 pm IST

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ କୋହଳ ମନୋଭାବ ନେଇ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ । ନିର୍ବାଚନ କମିଶନଙ୍କ ଆଦେଶ ଅନୁଯାୟୀ ନିଜ ଉପରୁ 48 ଘଣ୍ଟାର ବାସନ୍ଦାଦେଶ ଶେଷ ହେବା ପରେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାୟାବତୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ 72 ଘଣ୍ଟାର ବାସନ୍ଦାଦେଶ ଲଗା ଯାଇଥିଲା । ଏହି ସମୟରେ ସେ ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହିତ ଦଳିତଙ୍କ ଘରେ ଭୋଜନ ଗ୍ରହଣ କରୁଛନ୍ତି । ଏହି କାମ ଦ୍ବାରା ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିବା ସହିତ ପ୍ରଚାର ମଧ୍ୟ କରୁଛନ୍ତି । ନିର୍ବାଚନ କମିଶନଙ୍କ ଆଦେଶର ଖୋଲା ଉଲଂଘନ ସତ୍ତ୍ବେ ନିର୍ବାଚନ କମିଶନ ଯୋଗୀଙ୍କ ପ୍ରତି ଏତେ ନରମ ମନୋଭାବ କାହିଁକି ପୋଷଣ କରୁଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି ମାୟାବତୀ । ଯଦି ନିର୍ବାଚନ କମିଶନ ବିଜେପି ପ୍ରାର୍ଥୀଙ୍କୁ ଏପରି ମନୋଭାବ ପ୍ରଦର୍ଶନ କରିବେ ତେବେ ମୁକ୍ତ ଏବଂ ଅବାଧ ନିର୍ବାଚନରେ ଏହା ବାଧା ସୃଷ୍ଟି କରିବ ବୋଲି ମାୟା କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଅଖିଳେଶ ଯାଦବ ଏବଂ ଅଜିତ୍‌ ସିଂଙ୍କ ସହିତ ମେଣ୍ଟ କରିଛନ୍ତି । ଆଜି ଉତ୍ତର ପ୍ରଦେଶରେ 80 ଆସନରୁ 8ଟି ଲୋକସଭା ଆସନରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ବୁଲନ୍ଦ ସହର, ଆଲିଗଡ,ହଥରସ୍‌, ଫତେପୁର ସିକ୍ରି, ନଗିନା, ଅମରୋହା, ମଥୁରା ଏବଂ ଆଗ୍ରାରେ ନିର୍ବାଚନ ଅନୁଷ୍ଠିତ ହେବ ।

Related posts