ବ୍ରଜରାଜନଗର: ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବା ବ୍ରଜରାଜନଗର ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଛି। ଏଥିପାଇଁ ଓଡିଶାରେ ୨୨ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ ସରକାର ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ବ୍ରଜରାଜନଗରରେ ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି । ଲଖନପୁର ବାଗମୁଣ୍ଡା ଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରଜରାଜନଗର ଅଂଚଳର ଗୋଟିଏ ଐତିହ୍ୟ ଓ ପରମ୍ପରା ଅଛି। ହୀରାକୁଦ ଡ୍ୟାମ ବ୍ରଜରାଜନଗର ଓ ଲଖନପୁର ଅଧିବାସୀ ମାନଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଛି।
ସେମାନଙ୍କ ତ୍ୟାଗ ବଳରେ ମହାନଦୀରେ ଡ୍ୟାମ ନିର୍ମାଣ ହେବାରୁ ଓଡ଼ିଶା ଆଜି ବନ୍ୟାରୁ ସୁରକ୍ଷିତ ହୋଇଛି। ଅନେକ ଅଂଚଳ ଜଳସେଚିତ ହୋଇଛି। ସେମାନଙ୍କ ବଳିଦାନ କାରଣରୁ ଏ ଅଂଚଳରେ କୋଇଲା ଉତ୍ପାଦନ ଯୋଗୁଁ ଓଡ଼ିଶା ଓ ଭାରତବର୍ଷର ଅନେକ ଅଂଚଳ ଆଲୋକିତ ହେଉଛି। ସେହି ତୁଳନାରେ ଏହି ଅଂଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇପାରିନାହିଁ । ସ୍ୱାସ୍ଥ୍ୟ ଭିତିଭୂମି ବିପର୍ଯ୍ୟସ୍ତ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଂଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ବେଲପାହାଡ ପୌରାଂଚଳ ଓ ବ୍ରଜରାଜନଗର ପୌରାଂଚଳରେ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି। ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ।
ଝାରସୁଗୁଡାରେ ୫୩୧ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏଠାରେ ବିନା ଟେଣ୍ଡରରେ କାମ ହେଉଛି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି । ବିନା ହାତ ଗୁଞ୍ଜାରେ କାମ ହେଉନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ଉତମ ସ୍ୱାସ୍ଥ୍ୟ ପାଇବାରୁ ବଂଚିତ ହେଉଛନ୍ତି ।
ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗର ବାସୀନ୍ଧା ଏହାର ଉଚିତ୍ ଜବାବ ଦେବେ। ଗଣତନ୍ତ୍ରରେ ହକ୍, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗର ଓଡ଼ିଶାରେ ମୋଦି ଶାସନ ଆସିବାର ମୂଳଦୁଆ ପକାଇବା ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାର ମୁଖର ସ୍ୱର ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ହେବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି।