ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ

Published: Nov 14, 2022, 3:45 pm IST

ବରଗଡ: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସକୁ ଯାଇଥିଲେ। ହେଲେ ସେ ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ଫେରି ଆସିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଛଅ ମିନିଟ ସମୟ ଥିଲେ ମଧ୍ୟ ସେ ଉପଜିଲ୍ଲାପାଳ ଅଫିସର ଦୁଆର ମୁହଁରୁ ଫେରି ଆସିଲେ।

ତେବେ କାରଣରେ କୁହାଯାଇଛି ଯେ, ପଦ୍ମପୁର ଚାଷୀଙ୍କ ସମସ୍ୟାକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ। ଏନେଇ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ବୁଝୁ ନାହାଁନ୍ତି। ପଦ୍ମପୁରରେ ଚାଷୀମାନେ ଆନ୍ଦୋଳନ କରି ବସି ରହିଛନ୍ତି। ଏହାକୁ ଆମେ ସମର୍ଥନ କରି ପ୍ରାର୍ଥିପତ୍ର ଦାକଳ କଲୁ ନାହିଁ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ। ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ବିଶେଶ୍ବର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଉପଜିଲ୍ଲାପାଳ ଅଫିସ ଆଡକୁ ଯାଇଥିଲା। ଗାଡିରୁ ଓହ୍ଲାଇ କାଗଜପତ୍ର ଧରି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ହେଲେ ସେଠାରେ ଆନ୍ଦୋଳନରତ ଚାଷୀମାନେ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନ କରିବା ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ସମର୍ଥନ ଜଣାଇ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ସେଠାରୁ ଫେରି ଆସିଲେ। ପୂର୍ବରୁ ଚାଷୀମାନେ ସର୍ବଦଳୀୟ ବୈଠକ କରି କେହି ଏହି ନିର୍ବାଚନରେ ଭାଗ ନ  ନେବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ପ୍ରଦୀପ ଏହି ଦାଖଲକରୁ ଓହରି ଯାଇଛନ୍ତି।

ତେବେ ଅନ୍ୟଦଳରୁ ଯଦି କେହି ପ୍ରାର୍ଥୀ ପତ୍ର ଦାଖଲ କରେ ତେବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ତେବେ ପ୍ରଦୀପଙ୍କ ପ୍ରାର୍ଥୀପତ୍ର ଦାଖଲ ନ କରିବା ଏକ ନାଟକ ବୋଲି କହିଛି ବିରୋଧୀ ଦଳ।

Related posts