ଗୋଟାଏ ଦିନରେ ୨୧ ଅମାନିଆଙ୍କ ବାଇକ ଜବତ କଲା ଟାଙ୍ଗୀ ପୋଲିସ, ୨୧ ମାମଲା ରୁଜୁ

Published: Nov 26, 2022, 10:22 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସ ବର୍ତ୍ତମାନ ଅମାନିଆ ବାଇକ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଏବଂ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରି ଖୁବ କମ ସମୟରେ ଅଦାଲତରେ ଚାର୍ଜସିଟ ଦାଖଲ କରୁଛି। ତେବେ ବାଲୁଗାଁ ପୋଲିସ ସବଡିଭିଜନ ଅଞ୍ଚଳରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ସମସ୍ତ ଥାନାଧିକାରୀମାନେ ପ୍ରାୟତଃ ଚବିଶ ଘଣ୍ଟା ମଧ୍ୟରେ ଚାର୍ଜସିଟ ଅଦାଲତରେ ଦାଖଲ କରୁଛନ୍ତି, ଫଳରେ ଗାଡ଼ି ମାଲିକଙ୍କୁ ଜବତ ବାଇକ ମୁକୁଳାଇବାରେ ଅସୁବିଧା ହେଉନାହିଁ।

ପୁର୍ବରୁ ବାଣପୁର ଓ ବାଲୁଗାଁ ପୋଲିସ ଦିନକରେ ଏକାଧିକ ଅମାନିଆଙ୍କ ବାଇକ ଜବତ କରି ମାମଲା ରୁଜୁ କରିଥିବା ବେଳେ ଟାଙ୍ଗୀ ପୋଲିସ ଗତକାଲି ଗୋଟାଏ ଦିନରେ ୨୧ ଜଣ ଅମାନିଆଙ୍କ ବାଇକ ଜବତ କରିବା ସହ ୨୧ ଗୋଟି ମାମଲା ରୁଜୁ କରିଛି, ଯାହା ଜିଲ୍ଲା ପାଇଁ ରେକର୍ଡ଼। ଏ ନେଇ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ପଚାରିବାରୁ, ପୋଲିସର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ହଇରାଣ କରିବା ନୁହଁ ବରଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା।

ଅମାନିଆ ବାଇକ ଚାଳକଙ୍କ ଦ୍ୱାରା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଉକ୍ତ ଅଭିଯାନ ଜାରି ରହିଛି।

Related posts