![](https://thesamikhsya.com/odia/wp-content/uploads/2023/09/Naveen6.jpg)
ଭୁବନେଶ୍ବର: ଅକ୍ଟୋବର ଦୁଇ ତାରିଖରୁ ବିଜେଡି ପାଳନ କରିବ ଜନ ସଂପର୍କ ପଦଯାତ୍ରା। ଏହା ପ୍ରତିବର୍ଷ ପରି ଅକ୍ଚୋବର ୨ ତାରିଖ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତିରେ ଶେଷ ହେବ। ଏହି ପଦଯାତ୍ରା କିପରି କରାଯିବ ସେ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ନେତା ତଥା କର୍ମିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଏଥିରେ ନବୀନ କହିଛନ୍ତି ଯେ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି, ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜୟନ୍ତି, ଅକ୍ଟୋବର ୧୧ ତାରିଖରେ ଜୟପ୍ରକାଶ ନାରାୟଣ ଜୟନ୍ତି ପଦଯାତ୍ରା ସହିତ ପାଳନ କରାଯିବ। ଏହି ପଦଯାତ୍ରାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତି ତଦାରଖ କରିବେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ବା ବିଧାୟିକା, ପଞ୍ଚାୟତ ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ନିଶ୍ଚିତ ଯୋଗଦେବେ। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ, ଯେପରି ଛାତ୍ର ଜନତା, ଯୁବ ଜନତା, ମହିଳା ଜନତା ପରି ସଂଗନର କର୍ମକର୍ତ୍ତା ଭାଗ ନେବେ। ତେବେ ଏହି କାର୍ଯ୍ୟକ୍ରମ କିପରି କରାଗଲା ତାହାର ଏକ ରିପୋର୍ଟ ମୋତେ ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାସେ ବ୍ୟାପି କରାଯିବ। ଏହା ପ୍ରତି ଜିଲ୍ଲା ପରିଷଦ ଜୋନ ଏବଂ ପୌରାଞ୍ଚଳ ସ୍ତରୀୟ ସକ୍ରିୟ ସଦସ୍ୟ ଏବଂ ସଦସ୍ୟାମାନଙ୍କୁ ନେଇ କରାଯିବ। ଏହିମାନେ ପ୍ରଶିକ୍ଷିତ ହେବା ପରେ ସେମାନେ ପ୍ରତି ଗାଁକୁ ଗାଁ ଯାଇ ବିଜେଡି ସରକାରଙ୍କ ସଫଳତା ସଂପର୍କରେ ଅବଗତ କରାଯିବ।
ଏହି କାର୍ଯ୍ୟକ୍ରମ ଭିତରେ ନେତାମାନେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟ କରିବେ। ସେହିପରି ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପ୍ରତି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ। ସେଥିପାଇଁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକମାନେ ଦାୟିତ୍ବ ନେବେ।
ଏହି ସମୟରେ ନିଜ ଅଞ୍ଚଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଯିବ। ଏଥିସହିତ ସମସ୍ତେ ଓଡିଶାକୁ ବିକାଶ କରିବା ପାଇଁ ଏକ ସଂକଳ୍ପ ମଧ୍ୟ ନେବେ। ଏହି କାର୍ଯ୍ୟକ୍ରମ ମଧ୍ୟ କିପରି ପାଳନ କରାଗଲା ତାହା ସିଧା ଜଣାଇବେ ବୋଲି ନବୀନ ପଟ୍ଟନାୟକ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।