ଭୁବନେଶ୍ଵର: ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ବେହେରା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଛନ୍ତି।
ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର ଠିକ ସମୟରେ କାର୍ଯ୍ୟ ଶେଷ କରିବା ଏବଂ ପ୍ରସ୍ତାବିତ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ କରୁଛି।
ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ 47 କିଲୋମିଟର ରେଳ ଲାଇନ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇସାରିଛି।
ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପରେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି। ସୋନପୁର-ପୁରୁଣାପାଣି-ଝରମୁଣ୍ଡା-ବୌଦ୍ଧ ମଧ୍ୟରେ ପ୍ରାୟ 22 କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହେଇସାରିଥିବାବେଳେ ଏହି ମାର୍ଗରେ ସଫଳତାର ସହିତ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏହା ବ୍ୟତୀତ, ଝରମୁଣ୍ଡା ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି।