ବାଣପୁର: ଏସିଡ ଆକ୍ରମଣ, ନିରାକରଣ ଓ ଆଇନଗତ ସହାୟତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

Published: Sep 23, 2024, 7:25 pm IST

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସିଡ୍ ଆକ୍ରମଣ, ଏହାର ନିରାକରଣ, ଆଇନଗତ ସହାୟତା ସମ୍ପର୍କିତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ଶ୍ରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ଆଇନଗତ ଦିଗ, ପୀଡ଼ିତାଙ୍କ ପାଇଁ ଚିକିତ୍ସା ପଦ୍ଧତି, ଆର୍ଥିକ ସହାୟତା, ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ତଥା ଜାତୀୟ ଆଇନ ସେବା ପ୍ରାଧିକରଣ ତରଫରୁ ଏସିଡ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ସୁବିଧା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତା, ପୂର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ଆଇନଜୀବୀ ଜଗଦୀଶ ପଟ୍ଟନାୟକ ଓ ସୀତାରାମ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ବିଦ୍ୟାଳୟର ଗୃହ ବିଜ୍ଞାନ ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସଂସ୍କୃତ ବିଭାଗ ଅଧ୍ୟାପିକା ରୋଜାଲିନ ଦାସଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related posts