ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷlକେନ୍ଦ୍ରର ଏକବିଂଶ ବାର୍ଷିକ ଉତ୍ସବ

Published: Dec 21, 2024, 7:34 pm IST

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ ‘ଅନ୍ଵେଷା’ ଆଜି ଚେତନାଶକ୍ତି ନିଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।  ଶିକ୍ଷାକେନ୍ଦ୍ରର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ଶ୍ରୀଅରବିନ୍ଦ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀମାନଙ୍କର ଶାରୀରିକ, ମାନସିକ, ପ୍ରାଣିକ,ଚୈତ୍ତିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ତାହା ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଉତ୍ତମ ପାଇକରାୟ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଭାବିତ କରିଛି, ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ଖୋର୍ଦ୍ଧାଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ସଂଯୋଜକ ସୁରେନ୍ଦ୍ର ନାଥ ଜେନା ପୂର୍ଣ୍ଣାଙ୍ଗ ଶିକ୍ଷାର ନୂତନ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ଅତିଥିମାନେ ଶିକ୍ଷାକେନ୍ଦ୍ରର ମାଟ୍ରିକ ପରୀକ୍ଷାର ଶ୍ରେଷ୍ଠ ଶିକ୍ଷାର୍ଥୀ ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ବର୍ଦିକ ବିବରଣୀ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related posts