ଭୁବନେଶ୍ବର: ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋନ୍ଥାର ପ୍ରକୋପ ଭୁବନେଶ୍ବରରେ ଆରମ୍ଭ ହେବାରେ ଲାଗିଛି। ଆଜି ରାଜଧାନୀର ପାଗ ସକାଳେ ବେଶ ଭଲ ଥିଲା, ସକାଳୁ ସକାଳୁ ଖରା ପଡିଥିଲା। ହେଲେ ଦିନ ଏଗାର ବେଳକୁ ଆକାଶ ମେଘାଛନ୍ନ ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଶହୀଦନଗର ଏବଂ ପୁରୁଣା ଭୁବନେଶ୍ବରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ସହିତ ପବନ ପ୍ରବାହିତ ହୋଇଛି।
ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାରେ ପରିଣତ ହୋଇ ଘଣ୍ଟାକୁ 15 କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ଗୋପାଳପୁରରୁ 550 କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ରହିଛି। ସେହିପରି ଆନ୍ଧ୍ରପ୍ରଦେଶ ମଚ୍ଛଲିପାଟନମରୁ 190 କିଲୋମିଟର, କାକିନଡାରୁ 270 କିଲୋମିଟର ଦୂରରରେ ରହିଛି।



