ଭୁବନେଶ୍ବର: ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୋମବାର ଦିନ ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ଚିଲିକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ ଭିନ୍ନ ଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ସେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଲକ୍ଷ୍ମୀମନ୍ଦିର ଉନ୍ନତି କରଣ ପ୍ରକଳ୍ପର ଉଦଘାଟନ କରିଥିଲେ।
ମନ୍ତ୍ରୀ ଚାଷଙ୍ଗରରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପତିତପାବନ ଦେବଙ୍କୁ ଦର୍ଶନ କରିଥିଲେ। ସେଠାରେ ଆୟୋଜିତ ହେଉଥିବା ଅଷ୍ଟପ୍ରହରୀ ନାମ ଯଜ୍ଞରେ ମଧ୍ୟ ସେ ସାମିଲ ହୋଇ ହରି ନାମ ଉଚ୍ଚାରଣ କରି ଝାଞ୍ଜ ବଜାଇଥିଲେ।
ଏହାପରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଥିବା ଲକ୍ଷ୍ମୀ ମନ୍ଦିର ଚତୁଃପାର୍ଶ ଉନ୍ନତି କରଣ ପ୍ରକଳ୍ପକୁ ଶୁଭ ଉଦଘାଟନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ଅବସରରେ ଗ୍ରାମବାସୀଙ୍କ ତରଫରୁ ଦାବୀ ପତ୍ର ପ୍ରଦାନ କରାଯିବା ସହିତ ତାଙ୍କ ସହିତ ଗ୍ରାମବାସୀମାନେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଶ୍ବବିହାରୀ ଗୁରୁ, ସମିତି ସଭ୍ୟା ଶ୍ରୀମତୀ ଝରଣା ଲେଙ୍କା ଏବଂ ଚାଷଙ୍ଗରା ଗ୍ରାମବାସୀମାନେ ଉପସ୍ଥିତ ଥିଲେ।



