ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିକଟରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନାରେ ଦେଖାଇ ନିଜ ଘରକୁ ମାଆକୁ ଧରି ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ଠାରେ ଦୁର୍ଘଟଣା ଘଟିଛି। ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ରାତିରେ ନିଜର ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଭଳି ଘଟଣା ଘଟିଛି। ସେପଟେ ସ୍ୱାମୀ ଓ ଶାଶୁଙ୍କର ମୃତ୍ୟୁ ହେବା କଥା ପତ୍ନୀଙ୍କୁ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ଜଣା ପଡିଛି।
ସୂଚନା ଥାଉକି ଗତ ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପିପିଲି କାନୀ ମନୋଜ ମାଝୀ ମାଆ ମଞ୍ଜୁ ମାଝୀଙ୍କ ସହ ନିଜ ଶାଶୁ ଘର ନାକଟିଦେଉଳ ଥାନା ଝାରବେଡା ଗ୍ରାମକୁ ଗର୍ଭବତୀ ପତ୍ନୀ କୁ ଦେଖିବାକୁ ଯାଇଥିଲେ। ନାକଟିଦେଉଳ ମେଡିକାଲକୁ ନିଜ ପତ୍ନୀକୁ ଡାକ୍ତରଙ୍କ ଠାରେ ଦେଖା କରି ଶାଶୁ ଘରେ ଛାଡି ଫେରି ଯାଇଥିଲେ।
ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରୁ ଥିବା ବେଳେ ରେଢ଼ାଖୋଲ ଥାନା ଡ଼ିମିରିକୁଦା ନିକଟସ୍ଥ ବେହେରା ନର୍ସିଂ ହୋମ ଠାରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ମା ଓ ପୁଅ ରାସ୍ତା ପାର୍ଶ୍ୱରେ ଛିଟିକି ହୋଇ ପଡ଼ିଥିଲେ। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମା ଓ ପୁଅକୁ ମୃତ ଘୋଷଣା କରିଥିଲେ।
ସେପଟେ ରାତିରେ ମୃତକଙ୍କ ପତ୍ନୀ ସଂଜିତା ଦେହୁରୀ ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରିବାରୁ ପରିବାର ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ହେଲେ ସ୍ୱାମୀ ଓ ଶାଶୁର ମୃତ୍ୟୁ ଖବର ପତ୍ନୀକୁ ଲୁଚାଯାଇଥିବା ଜଣା ପଡିଛି।
ସେପଟେ ଗୋଟିଏ ଜୁଇରେ ସ୍ୱାମୀ ଓ ଶାଶୁଙ୍କର ଶବ ଜଳିଛି। ଏଇ ଖବର ଜଣାପଡିବା ପରେ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରେଢ଼ାଖୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।


