ଭୁବନେଶ୍ବର: ବହୁ ବର୍ଷ ଧରି ବିବାଦରେ ଛନ୍ଦି ହୋଇପଡିଥିବା ବିଡିଏର ଏକାମ୍ର ରେସିଡେନ୍ସିର ଭାଗ୍ୟ ଏବେ ଖୋଲିଲା। ଏହି ବହୁତଳ ଆପର୍ଟମେଣ୍ଟରର ଫ୍ଲାଟ ବିକ୍ରି ଆରମ୍ଭ ହେବ। ଏ ନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ଭୁବନେଶ୍ବରରେ ରହିବାକୁ ଥିବା ଲୋକଙ୍କୁ ବିଡିଏ ସୁଲଭ ଦରରେ ଅର୍ଥାତ ବଜାର ଦରରୁ କମ ମୂଲ୍ୟରେ ଫ୍ଲାଟ ଯୋଗାଇ ଦେବ ବୋଲି ନିଷ୍ପତି ହୋଇଛି।
ଏହି ଆପାର୍ଟମେଣ୍ଟ ଭୁବନେଶ୍ବରର ସୁବୁଦ୍ଧିପୁର ମୌଜା ବା କଳିଙ୍ଗ ବିହାର ନିକଟରେ ଅବସ୍ଥିତ। ଏହା ଟାଟା ଆରିୟାନ, ଟ୍ରାଇଡେଣ୍ଟ ଗାଲାକ୍ସି ଏବଂ ଗ୍ରେସ ଆପାର୍ଟମେଣ୍ଟ ପାଖରେ ନିର୍ମାଣ କରାଯାଇଛି। ଏହାର କାମ ପ୍ରାୟ ଶେଷ ହୋଇଯାଇଛି। ହେଲେ ଏହାର ନିର୍ମାଣ କାମ ନେଇଥିବା ବିଲଡର ଏବଂ ବିଡିଏ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ତାହା ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରୁ ନ ଥିଲା। ତାହା ବର୍ତ୍ତମାନ ସମାଧାନ ହେବା ପରେ ବିଡିଏ ଖୁବ ଶିଘ୍ର ଏହାର ବିକ୍ରି ଆରମ୍ଭ କରିବ। ତେବେ ଜାଣନ୍ତୁ ଏହି ପ୍ରକଳ୍ପରେ କଣ ରହିଛି…..
ଏକାମ୍ର ରେସିଡେନ୍ସି ସୁବୁଦ୍ଧିପୁର (କଳିଙ୍ଗ ବିହାର) ଭୁବନେଶ୍ବର
- ମୋଟ ଜାଗା- 7. 36 ଏକର
- ମୋଟ ଟାୱାର ସଂଖ୍ୟା- 3
- ମୋଟ ମହଲା ସଂଖ୍ୟା- 12 ( ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର ସହିତ)
- ମୋଟ ଫ୍ଲାଟ ସଂଖ୍ୟା- 704 ଟି
- ମୋଟ 2BHK ସଂଖ୍ୟା- 416 ଟି
- ମୋଟ 3HHK ସଂଖ୍ୟା- 288 ଟି

ଏହି ପ୍ରକଳ୍ପରେ ବେସମେଣ୍ଟରେ ପାର୍କିଂ ସୁବିଧା କରାଯାଇଛି। ସେହିପରି ପ୍ରକଳ୍ପକୁ ଯିବା ପାଇଁ 100 ଫୁଟିଆ ଚଉଡା ରାସ୍ତା ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରେ ବିଭିନ୍ନ ପ୍ରକାରର ଆମିନିଟିଜ୍ ମଧ୍ୟ ପ୍ରଦାନ କରାଯାଇଛି। ରୁଫଟପ ସୁଇମିଂ ପୁଲ, ଶିଶୁ ଉଦ୍ୟାନ, ଜିମ୍, ୱାକିଂ ଟ୍ରାକ, ସୌର ପ୍ୟାନେଲ, ଫିଟନେସ ସେଣ୍ଟର, କମ୍ୟୁନିଟ ସେଣ୍ଟର, ବ୍ୟବସାୟ କେନ୍ଦ୍ର ସହିତ ଆହୁରି କିଛି ସୁବିଧା ପ୍ରଦାନ କରାଯାଇଛି।
ତେବେ ଏହି ଫ୍ଲାଟର ବଣ୍ଟନ ପକ୍ରିୟା କିପରି ହେବ ତାହା ନିର୍ଦ୍ଧାରିତ ହୋଇ ନାହିଁ। ହେଲେ 2 BHK ଫ୍ଲାଟ ପାଇଁ ବିଡିଏ 60 ଲକ୍ଷ ଟଙ୍କା ଏବଂ 3 BHK ପାଇଁ 70 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହି ଅଞ୍ଚଳରେ ବର୍ତ୍ତମାନ 2 BHK ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ପଡୁଥିବା ବେଳେ 3 BHK ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ଉପରେ ରହିଛି। ମୁଖ୍ୟତଃ ସେହି ଅଞ୍ଚଳରେ ବଡବଡ ଘରୋଇ ପ୍ରକଳ୍ପ ଥିବାରୁ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ଏଥିସହିତ ଏହା ପୁରା ବଜାର ଅଞ୍ଚଳ ପାଖରେ ନିର୍ମାଣ ହୋଇଥିବାରୁ ଲୋକଙ୍କର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


