ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଏବଂ ଦୌରାଜଜ କୋର୍ଟ ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ହରି ଶିରାକୁ ଦୋଷୀ ସାବ୍ୟସ୍ତ କରି ୬ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି।
କୋର୍ଟ ଜିଲ୍ଲା ଏବଂ ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ୨୮ ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ ଏହି ରାୟ ପ୍ରଦାନ କରିଛନ୍ତି। ମାମଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପିତାକୁମୁଲି ଗ୍ରାମ ସମ୍ପର୍କିତ ବୋଲି ଜଣାପଡ଼ିଛି।
ମାମଲା ଅନୁଯାୟୀ, ୨୦୨୪ ଅକ୍ଟୋବର ୧୪ ତାରିଖ ଦିନ ଅଭିଯୁକ୍ତ ହରି ଶିରା ମୃତକ ହୀରା ଭତରାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସେ ଶାଢ଼ି ଟଣାଟାଣି କରିବା ସହ ପିଜୁଳି ବାଡ଼ିରେ ମୁଣ୍ଡ ଓ ଦେହରେ ଆଘାତ କରିଥିବା ଅଭିଯୋଗ ରହିଛି।
ଗୁରୁତର ଆହତ ହୀରା ଭତରାଙ୍କୁ ପ୍ରଥମେ ତେନ୍ତୁଳୀଖୁଣ୍ଟି, ପରେ ନବରଙ୍ଗପୁର ଏବଂ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଇଥିଲା। ପରେ ଜୟପୁର ଉଷା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଦିନ ପରେ ତାଙ୍କ ମୃତ୍ୟୁ ଘଟିଥିଲା।
ପୋଲିସ ପୂର୍ବରୁ ଅଭିଯୁକ୍ତକୁ ଗିରଫ କରି ଦଫା ୩୦୨ ଅନୁଯାୟୀ କୋର୍ଟକୁ ଚାଳାଣ କରିଥିଲେ। ତେବେ ମୃତ୍ୟୁର ସିଧାସଳଖ କାରଣ ସମ୍ପର୍କରେ ପର୍ଯ୍ୟାପ୍ତ ସାକ୍ଷ୍ୟ ଅଭାବରୁ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।


