Puri News: ଆଜି ଦେବସ୍ନାନ ଉପଲକ୍ଷେ ପୁରୀରେ ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଲକ୍ଷାଧିକ ଭକ୍ତ ବେଶ ବିଭୋର ହୋଇ ପଡିଛନ୍ତି। ଆଜି ଅପରାହ୍ନରେ ଗଜପତି ମହାରାଜା ଛେରା ପହଁରା କରିବା ପରେ ପ୍ରଭୁ ଗଜାନନ ବେଶ ଧାରଣ କରିଥିଲେ। ଯାହାକୁ ଦେଖିବା ପାଇଁ ଭକ୍ତମାନେ ଚାତକ ପରି ଅନେଇ ରହିଥିଲେ। ସେବକମାନେ ତିନି ଠାକୁରଙ୍କୁ ଗଜାନନ ବେଶ କରିବା ପରେ ସାଧାରଣ ଦର୍ଶନ ପାଇଁ ଛଡାଯାଇଥିଲା। ଏଥିରେ ଭକ୍ତମାନେ ଧାଡି ବାନ୍ଧି ସ୍ନାନ ମଣ୍ଡପ ତଳେ ପ୍ରଭୁଙ୍କୁ ଦର୍ଶନ କରିଥିଲେ।
ଆଜି ସ୍ନାନ ପାଇଁ ଭୋରରୁ ମହାପ୍ରଭୁଙ୍କ ପହଁଣ୍ଡି ବିଜେ କରାଯାଇଥିଲା। ଗୋଟି ପହଁଣ୍ଡିରେ ପ୍ରଭୁ ହଲିହଲି ସ୍ନାନ ବେଦୀକୁ ବିଜେ କରିଥିଲେ। ଏହାପରେ ସ୍ନାନବେଦୀରେ ତିନିଠାକୁରଙ୍କ ବିଭିନ୍ନ ରୀତିନୀତି କରାଯାଇଥିଲା। ଏହାପରେ ସୁନା କୂଅରୁ କଳସରେ ଜଳ ଅଣାଯାଇ ପ୍ରଭୁଙ୍କୁ ସ୍ନାନ କରାଯାଇଥିଲା। ଠାକୁରଙ୍କ ବେଶ ପରେ ଗଜପତିଙ୍କ ଛେରାପହଁରା କରାଯାଇଥିଲା।
ଆଜି ଶୃଙ୍ଖଳିତ ଭାବେ ଭକ୍ତମାନେ ତିନିଠାକୁରଙ୍କ ସ୍ନାନ ନୀତି ତଥା ଗଜାନନ ବେଶ ଦର୍ଶନ କରିଥିଲେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଜି ରାତିରେ ତିନିଠାକୁର ଅଣସର ଘରକୁ ବିଜେ କରିବେ। ରତ୍ନସିଂହାସନରେ ଏଣିକି ଭକ୍ତମାନେ ପଟ୍ଟିଦିଅଁ ଦର୍ଶନ କରିବେ।


