ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଆଜି ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ସୁଶୀଲ ମିଶ୍ର ଯୋଗଦେଇଥିଲେ।
ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ସହ ସମ୍ପାଦକ ଶକ୍ତିପ୍ରସାଦ ମିଶ୍ର, ଆଇନଜୀବୀ ତଥା ପୁରାତନ କାର୍ଯ୍ୟକର୍ତ୍ତା ସୀତାରାମ ଅଗ୍ରୱାଲ, କୀର୍ତ୍ତିରଞ୍ଜନ ଖୁଣ୍ଟିଆ ଏବଂ ପ୍ରିୟାଂଶୁ ପ୍ରଧାନ ଆଦି ଯୋଗ ଦେଇଥିଲେ। ଅତିଥିମାନେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସର ମହତ୍ୱ ବିଷୟରେ ଅବଗତ କରାଇବା ସହ ଏବିଭିପିର କାର୍ଯ୍ୟପଦ୍ଧତି ସମ୍ପର୍କରେ ବୁଝାଇଥିଲେ। ଆଗାମୀଦିନରେ ବାଣପୁର-ବାଲୁଗାଁ ଅଞ୍ଚଳର ସମସ୍ତ ମହାବିଦ୍ୟାଳୟ କ୍ୟାମ୍ପସରେ ବିଦ୍ୟାର୍ଥୀ ପରିଷଦ ଏହାର ସଂଗଠନ ବିସ୍ତାର କରିବାସହ ବିଦ୍ୟାର୍ଥୀଙ୍କ ହିତରେ କାର୍ଯ୍ୟ ଜାରିରଖିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ। କାର୍ଯ୍ୟକ୍ରମକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ସାହୁ ପରିଚାଳନା କରିଥିଲେ।


