ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗୃହପାଳିତ ପଶୁଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାକୁ ୫୦୪.୮୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ, ଆଗାମୀ ଦିନରେ ମୋଟ ବଣ୍ଟନ ପରିମାଣ ୧୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ହେବ ବୋଲି ଓମ୍ଫେଡ୍ ସୂଚନା ଦେଇଛି।
ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ହଜାର ହଜାର ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ସେମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇବାକୁ ସରକାର ଓମ୍ଫେଡ୍କୁ ଦାୟିତ୍ୱ ଦେଇଥିଲେ। ଏହାପରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାକୁ ଯୁଦ୍ଧକାଳୀନ ଭିତ୍ତିରେ ଗୋଖାଦ୍ୟ ପଠାଯାଉଛି।
ଓମ୍ଫେଡ୍ ତଥ୍ୟ ଅନୁଯାୟୀ, ଜୁଲାଇ ୩୧ ସୁଦ୍ଧା ଭଦ୍ରକ ଜିଲ୍ଲାକୁ ସର୍ବାଧିକ ୨୦୨.୯୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ, ଯାଜପୁରକୁ ୧୬୦ ମେଟ୍ରିକ୍ ଟନ୍, ବାଲେଶ୍ୱରକୁ ୧୦୮ ମେଟ୍ରିକ୍ ଟନ୍, କେନ୍ଦୁଝରକୁ ୨୫ ମେଟ୍ରିକ୍ ଟନ୍, କେନ୍ଦ୍ରାପଡ଼ାକୁ ୬.୧୦ ମେଟ୍ରିକ୍ ଟନ୍ ଏବଂ ଜଗତସିଂହପୁରକୁ ୨.୭୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି।
କୋରେଇ, ବିଞ୍ଝାରପୁର, ଦଶରଥପୁର, ରେମୁଣା, ବାହାନଗା, ନୀଳଗିରି, ଧାମନଗର, ଚାନ୍ଦବାଲି, ତିହିଡି, ଭଣ୍ଡାରୀପୋଖରୀ, ରାଜକନିକା, ହାଟଡିହି, ଆନନ୍ଦପୁର ଏବଂ କୁଜଙ୍ଗ ଭଳି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ ଜାରି ରହିଛି। ଆଗାମୀ ଦିନରେ ଆହୁରି ୫୩୭ ମେଟ୍ରିକ୍ ଟନ୍ରୁ ଅଧିକ ଗୋଖାଦ୍ୟ ବଣ୍ଟନ କରାଯିବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି।
ଶନିବାର ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ତିହିଡି ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ କରିଥିବାବେଳେ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ କରିଥିଲେ।


