ନୂଆପଡ଼ା: ଆଧାର କାର୍ଡ ସଂଶୋଧନ କରିବାକୁ ଯାଇଥିବା ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ହୋଇଥିବା ବଚସା ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ରାଗରେ ସାନଭାଇ ଠେଙ୍ଗାରେ ଆକ୍ରମଣ କରି ବଡ଼ଭାଇଙ୍କୁ ହତ୍ୟା କରିବା ପରେ ଶବକୁ ଏକ ନାଳରେ ଫିଙ୍ଗି ଦେଇଥିଲା। ଘଟଣାର ତିନି ଦିନ ପରେ ପୁଲିସ ଶବ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ସାନଭାଇଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ବୋଡେନ ଥାନା ଅନ୍ତର୍ଗତ ଭାଇସାଦାନୀ ପଞ୍ଚାୟତର କାଠଫେର ଗ୍ରାମର ଅକାଳୁ ପହରିଆ (୬୨) ଓ ତାଙ୍କ ସାନଭାଇ ରାଜୁ ପହରିଆ (୪୫) ଅଗଷ୍ଟ ୩ ତାରିଖରେ ବୋଡେନ ମୁଖ୍ୟାଳୟକୁ ଆଧାର କାର୍ଡ ସଂଶୋଧନ ପାଇଁ ଯାଇଥିଲେ। ରାସ୍ତାରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ରାଜୁ ଠେଙ୍ଗାରେ ଅକାଳୁଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହେବା ପରେ ଶବକୁ ବାବେପଡା ଜଙ୍ଗଲ ନିକଟସ୍ଥ ଏକ ନାଳରେ ଫିଙ୍ଗି ଦେଇଥିଲେ।
ବୁଧବାର ସନ୍ଧ୍ୟାରେ ପୁଲିସ ନାଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ସମୟରେ ସାନଭାଇଙ୍କୁ ପଚରାଉଚରା କରାଯିବା ପରେ ଘଟଣାର ସତ୍ୟ ପଦାକୁ ଆସିଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଛି। ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ବୋଡେନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏ କହିଛନ୍ତି।


