ଭୁବନେଶ୍ବର: ପୁରୀଠାରେ ଆୟୋଜିତ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ସାତଦିନିଆ ଭାଗବତ କଥା ସପ୍ତାହ ଆଲୋଚନା କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାଧ୍ୱୀଙ୍କଠାରୁ ଆଶୀର୍ବଚନ ଗ୍ରହଣ କରିଛନ୍ତି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ସ୍ୱାଧ୍ୱୀଙ୍କ ମୁଖନିଃସୃତ ଭାଗବତ କଥା ଶ୍ରବଣ କରି ନିଜର ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀକୁ ଏକ ପ୍ରମୁଖ ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି, ସେଥିମଧ୍ୟରେ ଏଭଳି ଭାଗବତ କଥାର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଶାର ସଂସ୍କୃତିରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ବିଶେଷ ମାହାତ୍ମ୍ୟ ରହିଛି। ଭାଗବତରେ ସନ୍ନିବିଷ୍ଟ ନୈତିକ ଓ ଆଧ୍ୟାତ୍ମିକ ଚେତନାକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ ଏହିପରି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆୟୋଜନ ସମାଜକୁ ସଠିକ୍ ମାର୍ଗଦର୍ଶନ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଆ ଅସ୍ମିତାର ମୂଳପିଣ୍ଡ ଓଡ଼ିଆ ଭାଗବତ ଏବଂ ପ୍ରତ୍ୟେକ ଗ୍ରାମରେ ଥିବା ଭାଗବତ ଟୁଙ୍ଗିଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଏହା ସହିତ ରାମ ଜନ୍ମଭୂମି ଆନ୍ଦୋଳନରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଐତିହାସିକ ଭୂମିକା, ତ୍ୟାଗ ଓ ସଂଘର୍ଷପୂର୍ଣ୍ଣ ଜୀବନ ଦେଶର ବହୁ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଅବସରରେ ପରମଶକ୍ତି ପୀଠ ପକ୍ଷରୁ ରାଜ୍ୟ ସରକାରଙ୍କ ସମ୍ମୁଖରେ ରଖାଯାଇଥିବା ବିବିଧ ପ୍ରସ୍ତାବ ଓ ଦାବିଗୁଡ଼ିକୁ ସରକାର ଗ୍ରହଣ କରିଛନ୍ତି ବୋଲି ସେ ଘୋଷଣା କରିଥିଲେ। ଏହି ଯୋଜନା କ୍ରମରେ ଓଡ଼ିଶାର ବିଭିନ୍ନ ଅନଗ୍ରସର ଓ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାପକ ସେବାକାର୍ଯ୍ୟ ହାତକୁ ନିଆଯିବ। ପରମଶକ୍ତି ପୀଠ ପକ୍ଷରୁ ବାତ୍ସଲ୍ୟ ଗ୍ରାମ, ଗୁରୁକୁଳମ ଓ ସୈନିକ ବିଦ୍ୟାଳୟ ଭଳି ଜନକଲ୍ୟାଣକାରୀ ପ୍ରକଳ୍ପସବୁକୁ ରାଜ୍ୟରେ ଆଗାମୀ ଦିନରେ ବାସ୍ତବ ରୂପରେଖ ଦିଆଯିବ। ସପ୍ତାହବ୍ୟାପୀ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହି ସ୍ୱାଧ୍ୱୀଙ୍କ ବାଣୀ ଶ୍ରବଣ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।


