ଭୁବନେଶ୍ବର: ମାଲକାନଗିରି ବନ ବିଭାଗ କର୍ମଚାରୀମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସତୀଗୁଡ଼ା ନିକଟରୁ ୩୫୨ଟି ବଜ୍ରକାପ୍ତା କାତି ଜବତ କରାଯିବା ସହିତ ଏହି ବେଆଇନ କାରବାରରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ କାତିର ମୋଟ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି।
ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ଉ ସମୟରେ ବନ ବିଭାଗ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ମୋଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି।
ବିଶେଷ ସୂତ୍ରରୁ ଗୁପ୍ତ ଖବର ପାଇ ମାଥଲି ଏବଂ ମାଲକାନଗିରି ବନ କର୍ମଚାରୀମାନେ ମିଳିତ ଭାବେ ସତୀଗୁଡ଼ା ନିକଟରେ ଚଢ଼ଉ କରି ଏହି ଚୋରା ଚାଲାଣକାରୀମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଏହି ବଜ୍ରକାପ୍ତା କାତିଗୁଡ଼ିକୁ ରାଜ୍ୟ ବାହାରକୁ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହି ବଜ୍ରକାପ୍ତା କାତି କେଉଁଠାରୁ ଅଣାଯାଇଥିଲା, କେଉଁ ସ୍ଥାନକୁ ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ବେଆଇନ କାରବାର ପଛରେ ଅନ୍ୟ କେଉଁମାନଙ୍କର ହାତ ରହିଛି, ସେସବୁ ଦିଗକୁ ନେଇ ବନ ବିଭାଗ ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଥିବା ମାଲକାନଗିରି ଡିଏଫଓ ଡି. ସାଇ କିରଣ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ପ୍ରିୟଙ୍କା ମହୁକା, ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସମେତ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


