ଇସଲମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ସୀମାନ୍ତରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଯାଇଛି। ପୁଲିସ ମୁଖ୍ୟାଳୟ ପରିସରସ୍ଥିତ ମସଜିଦ୍ରେ ନମାଜ ବେଳେ ଏକ ଶକ୍ତିଶାଳୀ ଆତ୍ମଘାତୀ କାର୍ ବିସ୍ଫୋରଣ ଓ ପରବର୍ତ୍ତୀ ଗୁଳିବିନିମୟରେ ଅତିକମରେ ୨୭ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୫ ଜଣ ପୁଲିସ କର୍ମଚାରୀ ଓ ୬ ଜଣ ସାଧାରଣ ନାଗରିକ ରହିଛନ୍ତି। ଏହି ଭୟଙ୍କର ଆକ୍ରମଣରେ ୭୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନ ସୀମାନ୍ତ ଖାଇବର ପାଖ୍ତୁନ୍ଖ୍ୱା ପ୍ରଦେଶର କୋହାଟସ୍ଥିତ ପୁଲିସ ମୁଖ୍ୟାଳୟ ମସଜିଦ୍ରେ ଶ୍ରଦ୍ଧାଳୁମାନେ ନମାଜ ପାଠ କରୁଥିବା ସମୟରେ ବିସ୍ଫୋରକ ଭର୍ତ୍ତି ଏକ କାର୍କୁ ମସଜିଦର ପ୍ରବେଶ ଦ୍ୱାରରେ ପିଟି ଦିଆଯାଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ମସଜିଦ୍ କୋଠାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ନିକଟସ୍ଥ ପୁଲିସ ଷ୍ଟେସନର ବାହାର ପାଚେରୀ ଭାଙ୍ଗି ପଡ଼ିଥିଲା। ପ୍ରାଦେଶିକ ପୁଲିସ ମୁଖ୍ୟ ଜୁଲଫିକାର ହାମିଦ ଏହାକୁ ଏକ ଯୋଜନାବଦ୍ଧ ଆତ୍ମଘାତୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛନ୍ତି।
ବିସ୍ଫୋରଣ ଘଟାଇବା ପରେ ସଶସ୍ତ୍ର ବନ୍ଧୁକଧାରୀମାନେ ପୁଲିସ ମୁଖ୍ୟାଳୟ ପରିସର ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ଧରି କଡ଼ା ଗୁଳିବିନିମୟ ହୋଇଥିଲା। ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ଗୋଷ୍ଠୀ ହାଫିଜ ଗୁଲ ବାହାଦୁର ପରିଚାଳିତ “ଇତ୍ତେହାଦୁଲ ମୁଜାହିଦ୍ଦୀନ” ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏହି ନୃଶଂସ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରିବା ସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


