ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ‘ସୁଗମ୍ୟ ସଂସଦ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତିକରଣ’ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥାରେ ଗଣତନ୍ତ୍ରକୁ ଅନେକ ନୂତନ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ପ୍ରଯୁକ୍ତିବିଦ୍ୟା ବଦଳୁଛି ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହେଉଛି । କିନ୍ତୁ ଗଣତନ୍ତ୍ର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନତା ସୁନିଶ୍ଚିତ କରିବା ଆବଶ୍ୟକ ଏବଂ ଏହି ନୀତି କେବେବି ପରିବର୍ତ୍ତନ କରାଯାଇପାରିବ ନାହିଁ। ଋଷି ଅଷ୍ଟବକ୍ରଙ୍କ ଉଦାହରଣ ଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ଭାରତୀୟ ଗଣତନ୍ତ୍ରରେ ମଧ୍ୟ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ୯୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଭୋଟର ଭାବରେ ପଞ୍ଜୀକୃତ ହୋଇଥିଲେ। ଏବେ ସଂସଦ ଓ ବିଧାନସଭାର ଡିଜିଟାଇଜେସନ୍ କରାଯାଉଛି ଏବଂ ଏହା ସେମାନଙ୍କ ପ୍ରତିନିଧିତ୍ୱ ଏବଂ ଯୋଗଦାନକୁ ଅଧିକ ସୁନିଶ୍ଚିତ କରିପାରିବ। ସରକାରଙ୍କ ଦ୍ୱାରା ପ୍ରଣିତ ‘ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬’ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମ୍ୟତା ଏବଂ ଅଂଶଗ୍ରହଣ ପାଇଁ ଅବସର ଆଣିଦେଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ ‘ବାଣୀଶ୍ରୀ ବୃତ୍ତି’ ଏବଂ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶାରେ ମଧ୍ୟ ସହାୟକ ଉପକରଣ, ଦକ୍ଷତା ବିକାଶ, ପୁନର୍ବାସ, ସ୍ୱତନ୍ତ୍ର ଶିକ୍ଷା, ସାମାଜିକ ସୁରକ୍ଷା, କ୍ରୀଡ଼ା ଏବଂ ଜୀବିକା ନିର୍ବାହର ସୁଯୋଗ ପାଇଁ ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡର ବାଚସ୍ପତି ରବିନ୍ଦ୍ରନାଥ ମହାତୋ, ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟର, ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ସିନ୍ଧେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସଚିବ ସତ୍ୟବ୍ରତ ରାଉତ ଯୋଗ ଦେଇଛନ୍ତି।
ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି
No Comments2 Mins Read


