ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍କୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (NYCS) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବାକୁ ଥିବାବେଳେ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରଖିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନ ଏବଂ ଯୁବ ଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ସୂଚନା ଦେଇଛନ୍ତି ଯେ, ଏହି ଆନ୍ଦୋଳନ କେବଳ ଛାତ୍ର ସମାଜ ମଧ୍ୟରେ ସୀମିତ ରହିବ ନାହିଁ। ଏଥିରେ ଚାଷୀ, ମୂଲିଆ, ଶ୍ରମିକ, ବୁଦ୍ଧିଜୀବୀଙ୍କ ସମେତ ସମାଜର ସବୁବର୍ଗର ଲୋକ ସାମିଲ ହୋଇ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବେ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବି ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସତ୍ୟାଗ୍ରହ ୪୧ ଦିନରେ ପହଞ୍ଚିଥିବାବେଳେ, ପ୍ରତିଷ୍ଠାତାଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ୨୪ ଦିନରେ ପହଞ୍ଚିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧,୬୭୮ଟି ଭୁଲ୍ ଥିବା ନେଇ ସ୍ୱୟଂ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସତ୍ତ୍ୱେ ସରକାର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।
ନବ ନିର୍ମାଣ ସଂଗଠନ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ, ଗଣଶିକ୍ଷା ମନ୍ତ୍ରୀ ଅତିଶୀଘ୍ର ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ଓ ସଡ଼କ ରାଜନୀତି ମାଧ୍ୟମରେ ସରକାରଙ୍କୁ ଉଚିତ ଜବାବ ଦିଆଯିବ।


