ଭୁବନେଶ୍ୱର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ସୁମିତ ସିଂଘଲ ଆଜି ବୌଦ୍ଧ ଜିଲ୍ଲାର ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ରେଳପଥ ପ୍ରକଳ୍ପ ଅନ୍ତର୍ଗତ ନବନିର୍ମିତ ପୁରୁଣାକଟକ–ଚାରିଛକ ସେକ୍ସନ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣରେ ୧୩.୩୫ କିଲୋମିଟର ନୂତନ ରେଳପଥ ସାମିଲ ଥିଲା ଏବଂ ଏହି ସେକ୍ସନରେ ନିର୍ମିତ ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ଓ ଭିତ୍ତିଭୂମି ସୁବିଧା ଗୁଡିକ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।
ପୁରୁଣାକଟକ–ଚାରିଛକ ସେକ୍ସନକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏହି ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ରେଳ ସଂଯୋଗ ଆହୁରି ବିସ୍ତାରିତ ହେବ। ଯାଞ୍ଚ ସମୟରେ ରେଳ ସୁରକ୍ଷା କମିଶନର ରେଳପଥ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବ୍ୟବସ୍ଥା, ସେତୁ, ଭାୟାଡକ୍ଟ, ସୁଡ଼ଙ୍ଗ ଏବଂ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ବ୍ୟବସ୍ଥା ଯାଞ୍ଚ କରିଥିଲେ। ନବନିର୍ମିତ ରେଳପଥର ପ୍ରସ୍ତୁତି ଓ ନିରାପତ୍ତା ଆକଳନ ପାଇଁ ସେ ଚାରିଛକରୁ ପୁରୁଣାକଟକ ଷ୍ଟେସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ରନ୍ ମଧ୍ୟ କରିଥିଲେ।
ଏହି ସେକ୍ସନର ଏକ ପ୍ରମୁଖ ଇଞ୍ଜିନିୟରିଂ ବୈଶିଷ୍ଟ୍ୟ ହେଉଛି ୧,୯୭୫ ମିଟର ଲମ୍ବର ଟି-୭ ସୁଡ଼ଙ୍ଗ, ଯାହା ଦୁର୍ଗମ ଭୂଭାଗ ଦେଇ ନିର୍ମାଣ କରାଯାଇଛି। ଏହି ସେକ୍ସନରେ ପ୍ରାୟ ୧.୯ କିଲୋମିଟର ମୋଟ ଲମ୍ବର ଦୁଇଟି ପ୍ରମୁଖ ଭାୟାଡକ୍ଟ ମଧ୍ୟ ରହିଛି। ଏହା ବ୍ୟତୀତ, ଏହି ସେକ୍ସନରେ ଗୋଟିଏ ପ୍ରମୁଖ ସେତୁ ରହିଛି, ଯାହା ଏକ ରୋଡ୍ ଓଭର ବ୍ରିଜ୍ (ROB)।
ନବନିର୍ମିତ ଏହି ସେକ୍ସନରେ ଆଧୁନିକ ରେଳ ଭିତ୍ତିଭୂମି ଓ ନିରାପତ୍ତା ସମ୍ବନ୍ଧୀୟ ବ୍ୟବସ୍ଥା ରହିଛି। ଏଥିରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବ୍ୟବସ୍ଥା, ସୁଦୃଢ଼ ରେଳପଥ ଭିତ୍ତିଭୂମି ଏବଂ ନିରାପଦ ଓ ସୁଚାରୁ ଟ୍ରେନ୍ ଚଳାଚଳ ପାଇଁ ଆବଶ୍ୟକ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ସାମିଲ ରହିଛି। ନିର୍ମାଣ ସଂଗଠନର ଅଧିକାରୀଙ୍କ ସମେତ,ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ, ରେଳ ସୁରକ୍ଷା କମିଶନର ଟିମ୍କୁ ଯାଞ୍ଚ ସମୟରେ ସହଯୋଗ କରିଥିଲେ। ଟିମ୍ ଏହି ସେକ୍ସନର ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ଓ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଥିଲେ।
ଏହି ଟିମ୍ ସେକ୍ସନର ବିଭିନ୍ନ ସ୍ଥାନରେ ରେଳ ଭିତ୍ତିଭୂମି ଓ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଥିଲେ।
ପ୍ରାୟ ୩୦୧ କିଲୋମିଟର ଦୀର୍ଘ ଖୋର୍ଦ୍ଧା ରୋଡ୍–ବଲାଙ୍ଗିର ରେଳପଥ ପ୍ରକଳ୍ପ ଓଡ଼ିଶାର ଆଭ୍ୟନ୍ତରୀଣ ଓ ରେଳ ସଂଯୋଗରୁ ବଞ୍ଚିତ ଅଞ୍ଚଳଗୁଡ଼ିକୁ ଉନ୍ନତ ରେଳ ସଂଯୋଗ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଖୋର୍ଦ୍ଧା ରୋଡ୍ ଓ ବଲାଙ୍ଗିର ଉଭୟ ପାର୍ଶ୍ୱରୁ ପର୍ଯ୍ୟାୟକ୍ରମେ ରେଳ ଭିତ୍ତିଭୂମି ନିର୍ମାଣ ଓ କମିଶନିଂ କରାଯାଉଛି।
ପୁରୁଣାକଟକ–ଚାରିଛକ ସେକ୍ସନର ନିର୍ମାଣ ପ୍ରକଳ୍ପର ଅଗ୍ରଗତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସେକ୍ସନରେ ପ୍ରାୟ ୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଓ ପ୍ରମୁଖ ଭାୟାଡକ୍ଟ ଭଳି ବଡ଼ ଇଞ୍ଜିନିୟରିଂ ଗଠନ ରହିଛି। ଏହି କାର୍ଯ୍ୟଗୁଡ଼ିକର ସମାପ୍ତି କଠିନ ଭୌଗୋଳିକ ପରିସ୍ଥିତିର ମୁକାବିଲା କରି ଅଞ୍ଚଳରେ ଆଧୁନିକ ରେଳ ଭିତ୍ତିଭୂମି ବିକଶିତ କରିବା ପାଇଁ ଭାରତୀୟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।
ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ସମୟୋଚିତ ଭାବେ ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପ୍ରାଥମିକତା ଦେଉଛି। ଏଥିସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ନିରାପତ୍ତା ମାନଦଣ୍ଡ ଓ ଯାତ୍ରୀ ସୁବିଧା ଉପରେ ନିରନ୍ତର ନଜର ରଖାଯାଉଛି। ନବନିର୍ମିତ ରେଳପଥରେ ନିୟମିତ ଟ୍ରେନ୍ ଚଳାଚଳ ପାଇଁ ଆବଶ୍ୟକ ନିରାପତ୍ତା ମାନଦଣ୍ଡ ପୂରଣ ହୋଇଛି କି ନାହିଁ, ତାହା ସୁନିଶ୍ଚିତ କରିବା ପ୍ରକ୍ରିୟାରେ ରେଳ ନିରାପତ୍ତା କମିଶନରଙ୍କ ଏହି ନିରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।


