ଭୁବନେଶ୍ବର: ବହୁ ଦିନରୁ ଧରି ଆଲୋଚନାର ବିଷୟ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ। ଦୀର୍ଘ ଦିନରୁ ଲାଗିରହିଥିବା ଏହି ଜଳ ବିବାଦର ଏକ ସ୍ଥାୟୀ ସମାଧାନ ବାହାରିବ ବୋଲି ରାଜ୍ୟ ସରକାର ଆଶା ବ୍ୟକ୍ତ କରିଥିବା ବେଳେ, ବିରୋଧୀ କଂଗ୍ରେସ ଏହି ବୈଠକର ସଫଳତା ନେଇ ଆଶଙ୍କା ପ୍ରକାଶ କରିଛି।
ଏସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, “ଆମେ ଏହି ଆଲୋଚନାକୁ ନେଇ ସମ୍ପୂର୍ଣ୍ଣ ସକାରାତ୍ମକ ଅଛୁ ଏବଂ ନିଶ୍ଚିତ ଭାବେ ଏକ ସମାଧାନର ବାଟ ବାହାରିବ। ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଓଡ଼ିଶା ଯେପରି କ୍ଷତିଗ୍ରସ୍ତ ହୋଇଛି, ଛତିଶଗଡ଼ ମଧ୍ୟ ସମାନ ପ୍ରଭାବ ଅନୁଭବ କରିଛି। ବର୍ତ୍ତମାନର ସରକାର ଦାୟିତ୍ୱ ନେବା ପୂର୍ବରୁ ହିଁ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିସାରିଥିଲେ। ତେବେ ଆଜିର ବୈଠକରେ ଏହାର ଏକ ଗ୍ରହଣୀୟ ସମାଧାନ ବାହାରିବ।”
ଅନ୍ୟପଟେ, ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବୈଠକର ଫଳପ୍ରଦତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କର ଏହି ବିବାଦ ସମାଧାନ ପାଇଁ ଆବଶ୍ୟକ ଇଚ୍ଛାଶକ୍ତି ନାହିଁ। ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିସାରିବା ପରେ ମଧ୍ୟ ଏଯାବତ୍ କୌଣସି ଠୋସ୍ ପଦକ୍ଷେପ ନିଆଯାଇପାରିନାହିଁ। ଏଭଳି ସ୍ଥିତିରେ ଆଜି ହେବାକୁ ଥିବା ବୈଠକର ମୂଳ ଆଧାର କ’ଣ ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି।


