ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ଅନ୍ତର୍ଗତ ମାର୍ଥାପୁର ଗାଁରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ପ୍ରଥମେ ମାର୍ଥାପୁର ଗାଁର ୪ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ର ମଳିକଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ଆଉ ୫ ଜଣ ଗୁରୁତର ଆକ୍ରାନ୍ତଙ୍କୁ ମେଡିକାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଝାଡ଼ାବାନ୍ତିରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି।
ବର୍ତ୍ତମାନ ଗାଁରେ ୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ରଘୁନାଥ ମଳିକ, ରୁନି ମଳିକ, ଜାଇଲ ମଳିକ ଓ ଅନନ୍ତ ମଳିକଙ୍କ ନାମ ରହିଛି। ଏକାଧିକ ଲୋକ ଅସୁସ୍ଥ ହେବା ଏବଂ ୩ ଜଣଙ୍କ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।
ଘଟଣା ପରେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ମାର୍ଥାପୁର ଗାଁରେ ପହଞ୍ଚିଛି। ଟିମ୍ ପକ୍ଷରୁ ଗାଁରେ ଲୋକଙ୍କୁ ସଚେତନ କରାଯିବା ସହ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି।
ଝାଡ଼ାବାନ୍ତି ବ୍ୟାପିବାର କାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ନଳକୂପ ପାଣି ପିଇବା ଯୋଗୁଁ ଏପରି ସ୍ଥିତି ଉପୁଜିଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରୁଛି। ଗାଁର ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ କୁହାଯାଇଛି।


