ଭୁବନେଶ୍ବର: ଆକାଶମାର୍ଗରେ ଏକ ବଡ଼ ଧରଣର ସମ୍ଭାବ୍ୟ ବିମାନ ଅପହରଣ ଓ ଆତଙ୍କବାଦୀ ଚକ୍ରାନ୍ତକୁ ନିଜ ଜୀବନକୁ ବାଜି ଲଗାଇ ପଣ୍ଡ କରିଥିବା ଭାରତର ବୀର ପୁଅ ତଥା ଫ୍ଲାଇଦୁବାଇ ବିମାନର କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କଥା ହୋଇଛନ୍ତି। ଆକାଶ ପଥରେ ଅତି ବିପଜ୍ଜନକ ପରିସ୍ଥିତି ଏବଂ ଗୁରୁତର ଆହତ ଅବସ୍ଥାରେ ମଧ୍ୟ ଅତୁଳନୀୟ ସାହସ, ଧୈର୍ଯ୍ୟ ଓ ପ୍ରତ୍ୟୁତ୍ପନ୍ନମତିତା ଦେଖାଇ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି। ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିସ୍ଥିତ ଏକ ହସପିଟାଲରେ କ୍ୟାପଟେନ୍ ସ୍ମିତଙ୍କ ଚିକିତ୍ସା ଜାରି ରହିଛି।
ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଆକାଶମାର୍ଗରେ ଏକ ଅଭାବନୀୟ ଘଟଣା ଘଟିଥିଲା। ବିମାନର ଓମାନୀ କୋ-ପାଇଲଟ୍ କ୍ୟାପଟେନ୍ ସ୍ମିତଙ୍କୁ ଅପ୍ରତ୍ୟାଶିତ ଭାବେ ଛୁରାମାଡ଼ କରି କକପିଟ୍ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲା। ଗୁରୁତର ଆହତ ହୋଇଥିବା ସତ୍ତ୍ୱେ କ୍ୟାପଟେନ୍ ସ୍ମିତ ସେହି ବିପଜ୍ଜନକ ମୁହୂର୍ତ୍ତରେ ସେକେଣ୍ଡର କ୍ରାକ୍ସନ୍ ମଧ୍ୟରେ ସାହସିକ ନିଷ୍ପତ୍ତି ନେଇ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ଦ୍ୱାରା ବିମାନରେ ଥିବା କ୍ରୁ ସଦସ୍ୟ ଏବଂ ଇସ୍ରାଏଲ ସୁରକ୍ଷା ବାହିନୀର ଯାତ୍ରୀମାନେ ତୁରନ୍ତ କକପିଟ୍ ଭିତରକୁ ପଶି ଆକ୍ରମଣକାରୀ କୋ-ପାଇଲଟ୍କୁ କାବୁ କରିପାରିଥିଲେ। ଏହାପରେ ବିମାନକୁ ସାଉଦି ଆରବର ତାବୁକ୍ରେ ଜରୁରୀ ଅବତରଣ କରାଯାଇଥିଲା, ଯାହାଫଳରେ ବିମାନରେ ଥିବା ୧୭୦ରୁ ଅଧିକ ଯାତ୍ରୀ ଅଳ୍ପକେ ବଞ୍ଚିଯାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଫୋନ୍ରେ କଥା ହେବା ସମୟରେ କ୍ୟାପଟେନ୍ ସ୍ମିତ ଘଟଣାବଳୀର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହ ସେହି ସଙ୍କଟପୂର୍ଣ୍ଣ ସମୟରେ ତାଙ୍କୁ କିଭଳି ଆତ୍ମବଳ ମିଳିଥିଲା, ସେ ବିଷୟରେ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ସ୍ମିତ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ପ୍ରଧାନମନ୍ତ୍ରୀ ତାଙ୍କର ସବୁଠାରୁ ବଡ଼ ଆଦର୍ଶ ବୋଲି ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସ୍ମିତଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।
ଏହା ପରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ୟାପଟେନ୍ ସ୍ମିତଙ୍କ ସାହସିକତା ପାଇଁ ଆଜି ସମଗ୍ର ଦେଶ ଗର୍ବିତ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତୀୟ ପାଇଲଟଙ୍କ ଏହି ବାହାଦୂରୀ ଯୋଗୁଁ ଆମେରିକାର ୯/୧୧ ଭଳି ଏକ ବଡ଼ ସମ୍ଭାବ୍ୟ ବିମାନ ବିପତ୍ତିକୁ ରୋକାଯାଇପାରିଛି। ସୋସିଆଲ ମିଡିଆରେ ମଧ୍ୟ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କ୍ୟାପଟେନ୍ ସ୍ମିତଙ୍କୁ ଜଣେ ପ୍ରକୃତ ନାୟକ ବୋଲି ଆଖ୍ୟା ଦେଇଛନ୍ତି ଏବଂ ତାଙ୍କର ବଳିଷ୍ଠ ସଙ୍କଳ୍ପ ଅନେକ ଜୀବନ ବଞ୍ଚାଇଦେଲା ବୋଲି ପ୍ରଶଂସା କରିଛନ୍ତି। ସମଗ୍ର ଦେଶବାସୀଙ୍କୁ ସ୍ମିତଙ୍କ ଆଶୁ ଆରୋଗ୍ୟ ଓ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।


