ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଭାରତ ପାଇଁ ଟେଷ୍ଟ୍ କ୍ୟାପ୍ ହାସଲ କରିବା ଆଉ ସମ୍ଭବ ନୁହେଁ ବୋଲି ସ୍ୱୀକାର କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ଓହରିଯାଇଥିଲେ ବି ଦିନିକିଆ ଏବଂ ଟି-୨୦ ଫର୍ମାଟ୍ରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେ ନିଜର ଚେଷ୍ଟା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।
ଚହଲ ଭାରତ ପାଇଁ ୭୨ଟି ଦିନିକିଆ ଏବଂ ୮୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୨୦୨୩ ଅଗଷ୍ଟରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସନ୍ନ୍ୟାସ ନେଇ ଇନ୍ଷ୍ଟାଗ୍ରାମ୍ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଶେୟାର କରି ଚହଲ ଲେଖିଛନ୍ତି ଯେ, ମୋ ପାଇଁ ନାଲି-ବଲ୍ କ୍ରିକେଟ୍ କେବଳ ଆଉ ଏକ ଫର୍ମାଟ୍ ନଥିଲା, ଏହା ମୋତେ ଧୈର୍ଯ୍ୟ, ସଂଘର୍ଷ ଏବଂ ଦୀର୍ଘ ସମୟ ପଡ଼ିଆରେ ତିଷ୍ଠି ରହିବାର ଶିକ୍ଷା ଦେଇଛି। ଲର୍ଡ୍ସରେ ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଚହଲ କହିଛନ୍ତି ଯେ ଭାରତ ପାଇଁ ଟେଷ୍ଟ ଖେଳିବା ତାଙ୍କର ବହୁ ବର୍ଷର ସ୍ୱପ୍ନ ଥିଲା, ଯାହା ଅଧୁରା ରହିଗଲା ସତ, କିନ୍ତୁ ସେ ନିଜ ଯାତ୍ରାକୁ ନେଇ ପ୍ରକୃତରେ ସନ୍ତୁଷ୍ଟ। ଏହାସହ ଦେଶ ପାଇଁ ଖେଳିବାର ଆଗ୍ରହ ଏବେ ବି ଜୀବନ୍ତ ଅଛି ଏବଂ ସୀମିତ ଓଭର ଫର୍ମାଟ୍ରେ ପୁଣିଥରେ ସୁଯୋଗ ହାସଲ ପାଇଁ ସେ ନିଜର ସବୁକିଛି ଲଗାଇଦେବେ ବୋଲି କହିଛନ୍ତି।
୨୦୦୯ରେ ହରିଆଣା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ୟାରିୟର୍ ଆରମ୍ଭ କରିଥିବା ଚହଲ ମୋଟ ୪୯ଟି ମ୍ୟାଚ୍ରୁ ୧୪୮ଟି ୱିକେଟ୍ ହାସଲ କରିଛନ୍ତି। ସେ ନିକଟରେ କାଉଣ୍ଟି ଚାମ୍ପିଅନ୍ଶିପ୍ରେ ନର୍ଥମ୍ପଟନ୍ଶାୟର୍ ପକ୍ଷରୁ ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧ଟି ୱିକେଟ୍ ନେଇଥିଲେ।


