ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଚିନାବ ନଦୀ ଶଯ୍ୟାରୁ ୩୫୯ ମିଟର (୧,୧୭୮ ଫୁଟ୍) ଉଚ୍ଚତାରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ଉପରେ ଭାରତୀୟ ରେଳବାଇ ସଫଳତାର ସହ ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ସଫଳ ପରୀକ୍ଷଣ ସମୟରେ ଟ୍ରେନ୍ଟି ଦେଶର ପ୍ରଥମ କେବୁଲ-ଷ୍ଟେଡ୍ ‘ଅଞ୍ଜି ବ୍ରିଜ୍’କୁ ମଧ୍ୟ ସମାନ ୧୦୦ କିମି/ଘଣ୍ଟା ବେଗରେ ଅତିକ୍ରମ କରିଥିଲା। ଏହି ସଫଳତା ପରେ ୧୧୧ କିଲୋମିଟର ଦୀର୍ଘ ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରା-ବନିହାଲ୍ ସେକ୍ସନରେ ଟ୍ରେନର ସର୍ବାଧିକ ବେଗକୁ ୭୫ କିମି/ଘଣ୍ଟାରୁ ୧୦୦ କିମି/ଘଣ୍ଟାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଐତିହାସିକ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆ “ଏକ୍ସ”ରେ ଶେୟାର କରିଛନ୍ତି।
ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ ପ୍ରକଳ୍ପରେ ଏହି ବେଗ ବୃଦ୍ଧି ଯୋଗୁଁ ଯାତ୍ରୀମାନେ ଅଧିକ ନିରାପଦ ଓ ସୁବିଧାଜନକ ଭାବେ କମ୍ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। ୨୦୧୪ ସୁଦ୍ଧା ଭାରତୀୟ ରେଳବାଇର ମାତ୍ର ୪୦% ନେଟୱାର୍କ ୧୧୦ କିମି/ଘଣ୍ଟା ବା ତା’ଠାରୁ ଅଧିକ ବେଗ ପାଇଁ ସକ୍ଷମ ଥିବା ବେଳେ ବର୍ତ୍ତମାନ ଏହା ୮୧%କୁ ବୃଦ୍ଧି ପାଇଛି। ଏହି ବ୍ରିଜ୍ଟି ଭୂକମ୍ପ ଜୋନ୍-୪ ଅଞ୍ଚଳରେ ଥିଲେ ବି ଏହାକୁ ଜୋନ୍-୫ ସ୍ତରର କ୍ଷମତା ସହ ନିର୍ମାଣ କରାଯାଇଛି, ଯାହା ରିକ୍ଟର ସ୍କେଲ୍ରେ ୮ ତୀବ୍ରତାର ଭୂକମ୍ପ, ପ୍ରବଳ ବନ୍ୟା, ତୁଷାରପାତ ଏବଂ ବିସ୍ଫୋରଣ ସହ୍ୟ କରିବାରେ ସକ୍ଷମ।
୧୨୦ ବର୍ଷ ଆୟୁଷ ରଖିଥିବା ଏହି ସ୍ଥାପତ୍ୟ ଆଶ୍ଚର୍ଯ୍ୟରେ ଜୁନ୍ ୨୦୨୫ରେ କାଶ୍ମୀର ରେଳ ଲିଙ୍କ୍ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମେ କାଟ୍ରା-ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଚାଲିଥିଲା। ପରବର୍ତ୍ତୀ ସମୟରେ ଏପ୍ରିଲ ୨୦୨୬ରେ ଏହାକୁ ଜମ୍ମୁ ତାୱି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ କୋଚ୍ ସଂଖ୍ୟା ୮ରୁ ୨୦କୁ ବୃଦ୍ଧି କରାଯାଇଥିଲା ଏବଂ ମେ ୨ରୁ ଏହି ରୁଟ୍ରେ ନିୟମିତ ଚଳାଚଳ ଜାରି ରହିଛି।


