ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଦେଶର ରାଜନୈତିକ ମାହୋଲ ଗରମ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର। ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୭ ଓ ୮ ତାରିଖରେ ତାଙ୍କର ଛତିଶଗଡ଼ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ଜରୁରୀ କାରଣ ଦର୍ଶାଇ ଏହି ଗସ୍ତକୁ ଏବେ ସ୍ଥଗିତ କରାଯାଇଛି।
ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଗସ୍ତ ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି। ତେବେ ଜ୍ଞାନେଶ କୁମାର କେବେ ଛତିଶଗଡ଼ ଗସ୍ତ କରିବେ, ସେନେଇ ନୂଆ ତାରିଖ ଘୋଷଣା କରାଯାଇନାହିଁ। ଫଳରେ ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟା ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ବିରୋଧୀଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଉଛି। ଏପରି ସମୟରେ ତାଙ୍କ ଛତିଶଗଡ଼ ଗସ୍ତ ସ୍ଥଗିତ ହେବା ଘଟଣା ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି। ବିରୋଧୀ ଦଳଗୁଡ଼ିକ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆସୁଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପ୍ରତିବାଦ ମଧ୍ୟ ହେଉଛି।
ଛତିଶଗଡ଼ ଗସ୍ତ ପୂର୍ବରୁ ଜ୍ଞାନେଶ କୁମାରଙ୍କ ଉତ୍ତର ପ୍ରଦେଶ ଗସ୍ତ ମଧ୍ୟ ସ୍ଥଗିତ ହୋଇଥିବା ସୂଚନା ମିଳିଥିଲା। ତାଙ୍କର ୟୁପିର ଦୁଇଟି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହି ଗସ୍ତ ମଧ୍ୟ ପରେ ପରିବର୍ତ୍ତିତ ହୋଇଥିଲା ଏବେ ଛତିଶଗଡ଼ ଗସ୍ତ ମଧ୍ୟ ସ୍ଥଗିତ ହେବା ପରେ ନିର୍ବାଚନ କମିଶନଙ୍କ ଆଗାମୀ କାର୍ଯ୍ୟକ୍ରମ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପଟେ ମଙ୍ଗଳବାର, ଅକ୍ଟୋବର ୬ରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ଆଲାଏନ୍ସ ପକ୍ଷରୁ ବଡ଼ ଧରଣର ପଦଯାତ୍ରା କରାଯାଇଥିଲା। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଇଣ୍ଡିଆ ଆଲାଏନ୍ସର ଅନେକ ସାଂସଦ ଓ ନେତା ସାମିଲ ହୋଇଥିଲେ।
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଅଭିମୁଖେ ଏହି ମାର୍ଚ୍ଚ ଯାଉଥିବା ବେଳେ ସୁରକ୍ଷା ବାହିନୀ ସେମାନଙ୍କୁ ରାସ୍ତାରେ ଅଟକାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ପୁଲିସ ରାସ୍ତାରେ ଅଟକାଇବା ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଆକାଶବାଣୀ ଭବନ ପରିସରରେ ଧାରଣାରେ ବସିଥିଲେ। ସେମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ଦାବି କରିଥିଲେ। ପରେ ପୁଲିସ ସେମାନଙ୍କୁ ହେପାଜତକୁ ନେଇଥିଲା। ଏହି ଘଟଣାକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ସରକାର ଓ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଗୋଟିଏ ପଟେ ଇଣ୍ଡିଆ ଆଲାଏନ୍ସର ରାସ୍ତାକୁ ଓହ୍ଲାଇ ପ୍ରତିବାଦ, ଅନ୍ୟପଟେ CEC ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ ସ୍ଥଗିତ ହେବା—ଏହି ଦୁଇଟି ଘଟଣା ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି। ତେବେ ଗସ୍ତ କେବେ ହେବ ଏବଂ ଇଣ୍ଡିଆ ଆଲାଏନ୍ସର ପରବର୍ତ୍ତୀ ରଣନୀତି କଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।


