ନୂଆଦିଲ୍ଲୀ: ଏସ୍ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ମନ୍ତବ୍ୟକୁ ଭାରତ କଡା ନିନ୍ଦା କରିଛି। ଏହାକୁ ଭାରତର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ପ୍ରମିଳା ଜୟପାଳଙ୍କ ବୟାନ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତଥ୍ୟ ଅଜ୍ଞତାରେ ଦିଆଯାଇଛି। ଏଭଳି ମନ୍ତବ୍ୟ ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରୁଛି।
ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ପ୍ରମିଳା ଜୟପାଳ ଭାରତରେ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍ ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ କଟିବା ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ଏହାକୁ ଗଣତନ୍ତ୍ର ବିରୋଧୀ ପ୍ରୟାସ ବୋଲି କହିବା ସହ ଭାରତରେ ହେଉଥିବା ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଥିଲେ।
ଅନ୍ୟପକ୍ଷେ ଆମେରିକାର ଇଲିନୟ ରାଜ୍ୟର ଅରୋରା ଅଞ୍ଚଳରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଗୁଳିକାଣ୍ଡ କରିବା ଷଡ଼ଯନ୍ତ୍ର ନେଇ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଏହା ଆମେରିକାରେ ବର୍ଣ୍ଣଗତ ଶତ୍ରୁତା ଓ ଭାରତ ବିରୋଧୀ ଘୃଣା ନେଇ ଚିନ୍ତା ବଢାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।
ରଣଧୀର ଜୟସୱାଲ କହିଛନ୍ତି ଯେ, ଆମେ ଏହି ଘଟଣାରେ ବେଶ୍ ଚିନ୍ତିତ। ଆମେରିକା ଆଇନ ଶୃଙ୍ଖଳା ଏଜେନ୍ସିଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ ଓ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ ଭାରତ ଲକ୍ଷ୍ୟ କରିଛି।
ଭାରତୀୟଙ୍କ ବିରୋଧରେ ହିଂସା ବରଦାସ୍ତ କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଘୃଣା ଜନିତ ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି, ଅଧିକ ସତର୍କତା ଏବଂ ଭାରତୀୟ ସମୁଦାୟର ସୁରକ୍ଷା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଆମେରିକା ଅଧିକାରୀମାନେ ଏହି ମାମଲାର ଗଭୀର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବା ସହ ଏଭଳି ଘଟଣା ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଭାରତ ଆଶା କରୁଛି।


