କଟକ: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଓଡ଼ିଶା ହାଇକୋର୍ଟରେ ଶେଷ ହୋଇଛି। ବିଚାରପତି ଭି. ନରସିଂହ ସମସ୍ତ ପକ୍ଷଙ୍କ ଯୁକ୍ତିଶୁଣିବା ପରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି।
ସୂଚନାନୁସାରେ, ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହୋଇଥିବା ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଉଭୟ ଅଦାଲତରୁ ଆଶ୍ୱାସନା ନମିଳିବା ପରେ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ପୂର୍ବରୁ ହାଇକୋର୍ଟ ତାଙ୍କର ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଦେବା ସହ ତଦନ୍ତକାରୀ ସଂସ୍ଥାକୁ କେସ୍ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଦାଲତରେ ହାଜର ହେବାର ସମୟସୀମାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
ସୂଚନାନୁସାରେ, ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସ୍ଡିଜେଏମ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ଏହାକୁ ଚାଲେଞ୍ଜ କରି ସେ ପ୍ରଥମେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଗତ ସେପ୍ଟେମ୍ବର ୩ ତାରିଖ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ଆବେଦନକୁ ଖାରଜ କରିବା ସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ସେ ଚାହିଁଲେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହ ମାମଲାର ଅନ୍ତ ଘଟାଇଥିଲେ।
ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ଦର୍ଶାଇ ବିଦ୍ୟାଭାରତୀଙ୍କ ଓକିଲ ଏସଡିଜେଏମଙ୍କ ଅଦାଲତରେ ହାଜର ପାଇଁ ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ବିଦ୍ୟାଭାରତୀଙ୍କ ହାଜର ସମୟସୀମାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମାତ୍ର ବିଦ୍ୟାଭାରତୀଙ୍କ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ମନା କରିଥିଲେ। ଏଥିସହ ତଦନ୍ତକାରୀ ସଂସ୍ଥା କେଶ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


