ଭୁବନେଶ୍ୱର: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ପରେ ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି। କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ପାହାଡ଼ରେ ଶହ ଶହ ଭୂସ୍ଖଳନ ପଏଣ୍ଟ ରହିଛି। ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇ ଦେବେ ସରକାର। ଏଥିପାଇଁ କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି। ଏହା କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ଯେତେବେଳ ପର୍ଯ୍ୟନ୍ତ ଆଶା ମରିନାହିଁ, ସେତେବେଳ ପର୍ଯ୍ୟନ୍ତ ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ ପୂଜାରୀ କହିଛନ୍ତି ଯେ “ଭଞ୍ଜନଗର ଗିଡ଼ିପାବାଲିରେ ହୋଇଥିବା ଭୂସ୍ଖଳନ ସ୍ଥାନରେ ୨୫ରୁ ୩୦ ଫୁଟ ମାଟି ପୋତି ହୋଇଯାଇଛି। ଆଉ ତା’ ତଳେ ଜନସାଧାରଣ ଓ ଜୀବ ଏବଂ ପ୍ରାଣୀ ସମ୍ପଦ ଚାପି ହୋଇଥିବା ସନ୍ଦେହ କରାଯାଉଛି। ଏହା ଉପରେ ବଡ଼ ବଡ଼ ପଥର ମଧ୍ୟ ପଡ଼ିଛି। ପଥର ପାଇଁ ତଳକୁ ଯିବା ସହଜ ହେଉନାହିଁ। ପଥର ଖଣ୍ଡ ଖଣ୍ଡ କରି ଯିବାକୁ ଚେଷ୍ଟା କରାଗଲା। ସବୁ ପ୍ରକାର ପ୍ରୟାସ କରାଗଲା। ୫ ଦିନ ଧରିକି ଉଦ୍ଧାରକାରୀ ଦଳ ଲାଗିଲେ। ରେଳ ବିଭାଗର ଚେନ ପୁଲିଂ ଟେକନିକ ମଧ୍ୟ ବ୍ୟବହାର ହେଲା। ଲାଇଫ ଡିଟେକ୍ସନ ୟୁନିଟ ଯାଞ୍ଚରେ ମଧ୍ୟ ଜଣାପଡ଼ିଲା ନାହିଁ। ସେଠାରେ ସମ୍ପୂର୍ଣ୍ଣ ଖୋଳିବା ଏବଂ ପଥର ଘୁଞ୍ଚଇବା ସମ୍ଭବ ହେଉନାହିଁ। ପରିବାର ଲୋକ କ୍ରିୟା କର୍ମ ପାଇଁ ବ୍ୟାକୁଳ ହେଉଛନ୍ତି। ତେଣୁ ପ୍ରତିକାତ୍ମକ ଭାବେ ସତ୍କାର କରାଯାଉଛି। ପ୍ରଶାସନର ସହଯୋଗରେ ଶେଷକୃତ୍ୟ ହେଉଛି। ଶେଷକୃତ୍ୟ ପରେ ସମସ୍ତେ ଭାବୁଛନ୍ତି ଅପରେସନ ସରିଗଲା। ୧୧ଟି ଜୀବନ ଅତଡା ତଳେ ରହିଛି। ତେଣୁ ମୋ ମନ ମାନୁନାହିଁ। ଉଦ୍ଧାର କାମ ଚାଲୁ ରଖିବା ଏବଂ ଜୀବନ ଖୋଜିବା କାମ ଚାଲୁ ରଖିବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେତେବେଳ ପର୍ଯ୍ୟନ୍ତ ଆଶା ମରିନାହିଁ ପ୍ରୟାସ ଚାଲୁ ରହିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି। ଅନେକ ଭୂସ୍ଖଳନ ପଏଣ୍ଟ ରହିଛି। ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇ ଦେବେ ସରକାର। କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି। ଉତ୍ତର-ପୂର୍ବ ରାଜ୍ୟକୁ ଆମ ଅଧିକାରୀମାନେ ଯାଇଥିଲେ। ଜନବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏବେ ଗିଡ଼ିପାବାଲିରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ। ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ। ଅନ୍ତୋଦ୍ୟାୟ ଯୋଜନାରେ ଘର ମିଳିବ।


