କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପରିଷଦ ପକ୍ଷରୁ ଏନେଇ ସମସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଇଛି। ଆଗାମୀ ଡିସେମ୍ବର ୬ ତାରିଖରେ ଏହି ନିର୍ବାଚନ କରାଇବା ପାଇଁ ସମସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିବା ନେଇ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ପରିଷଦର ୨୪ ଜଣ ସଦସ୍ୟ ଜଣେ ଯୋଗ୍ୟ ଆଇନଜୀବୀଙ୍କୁ ଏଥିପାଇଁ ନିର୍ବାଚିତ କରିବେ ଏବଂ ଏହିକ୍ରମରେ ଆଗ୍ରହୀ ତଥା ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ପ୍ରାର୍ଥୀପତ୍ର ଆହ୍ୱାନ କରାଯାଉଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧିକାରିକ ୱେବସାଇଟ୍ରେ ଉପଲବ୍ଧ ରହିଛି। ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ସେହିପରି ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ନଭେମ୍ବର ୧୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ରହିଥିବାବେଳେ ନଭେମ୍ବର ୨୦ ତାରିଖ ଅପରାହ୍ନ ୪ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆଗାମୀ ଡିସେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ରାଜ୍ୟ ଆଇନଜୀବୀ ପରିଷଦର ବୈଠକ ଗୃହରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ବିଭିନ୍ନ ବାର୍ ଆସୋସିଏସନର କର୍ମକର୍ତ୍ତାମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଯୋଗ୍ୟ ନୁହଁନ୍ତି, କିନ୍ତୁ ଏହି ପ୍ରତିବନ୍ଧକ ସୁପ୍ରିମକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତାମାନଙ୍କ ନିମନ୍ତେ ପ୍ରଯୁଜ୍ୟ ହେବ ନାହିଁ।


