ଭୁବନେଶ୍ୱର: ବାମପନ୍ଥୀ ଉଗ୍ରବାଦର ବିଲୋପ ପରେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ସ୍ଥିତିରେ ଆସିଥିବା ପରିବର୍ତ୍ତନ ଏବଂ ତୃଣମୂଳ ସ୍ତରରେ ଆସିଥିବା ରୂପାନ୍ତରଣ ବିଷୟବସ୍ତୁ ଉପରେ ବିଚାରବିମର୍ଶ ଲାଗି ଆସନ୍ତାକାଲି ଫୁଲବାଣୀ ଠାରେ ଏକ ସ୍ୱତନ୍ତ୍ର ଗଣମାଧ୍ୟମ କର୍ମଶାଳା ଆୟୋଜନ କରାଯିବ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ଆନୁକୂଲ୍ୟରେ ତଥା କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୁଲିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବ୍ୟାପକ ଗଣମାଧ୍ୟମ ପ୍ରଚାରପ୍ରସାର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ବାମପନ୍ଥୀ ଉଗ୍ରବାଦ ପରବର୍ତ୍ତୀ କାଳରେ ଆସିଥିବା ପରିବର୍ତ୍ତନ ବିଷୟରେ ଏଠାରେ ବିଚାରବିମର୍ଶ କରାଯିବ।
ଏହି କର୍ମଶାଳାରେ ଭୁବନେଶ୍ୱରସ୍ଥିତ ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିବେ। କନ୍ଧମାଳ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକଙ୍କ ସମେତ ଜିଲ୍ଲାର ସୁରକ୍ଷା ଓ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ କର୍ମଶାଳାରେ ଯୋଗଦେବେ। ସେମାନେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ।
ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ହେବାକୁ ଥିବା ଏହି ଦିନିକିଆ ଆଲୋଚନାଚକ୍ରର ଲକ୍ଷ୍ୟ ହେଉଛି, କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସେହି ସୁସଂଗଠିତ ପ୍ରଶାସନିକ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବା, ଯାହା ଚରମପନ୍ଥୀ ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। ଏହି ଆଲୋଚନାରେ କନ୍ଧମାଳର ବିକାଶଯାତ୍ରାକୁ ତିନୋଟି ଭିନ୍ନ ପର୍ଯ୍ୟାୟ ମାଧ୍ୟମରେ ବିଶ୍ଳେଷଣ କରାଯିବ ଯଥା: ନକ୍ସଲ ହିଂସା ଆରମ୍ଭ ହେବା ପୂର୍ବର ସମୟ, ବିଦ୍ରୋହୀଙ୍କ ଗତିବିଧି ସମୟର ଦଶନ୍ଧି ଏବଂ ବର୍ତ୍ତମାନର ବେସାମରିକ ପୁନର୍ନିର୍ମାଣର ପର୍ଯ୍ୟାୟ। ବିଶେଷ ଭାବରେ, ସଶସ୍ତ୍ର ଉଗ୍ରବାଦର ବିଲୋପ କିପରି ସୁଶାସନ ପାଇଁ ପଥ ପରିଷ୍କାର କରିଛି, ଅନୁଷ୍ଠାନଗୁଡ଼ିକ ପ୍ରତି ଜନବିଶ୍ୱାସକୁ ସୁଦୃଢ଼ କରିଛି ଏବଂ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ପୁନର୍ବାର ଆଇନର ଶାସନ ପ୍ରତିଷ୍ଠା କରିଛି, ସେ ବିଷୟରେ ଏଠାରେ ବିସ୍ତୃତ ଆଲୋଚନା କରାଯିବ।
ସରକାରୀ ଅଧିକାରୀମାନେ ଦୂରଦୂରାନ୍ତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଏବଂ ଆର୍ଥିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ। ସବୁଦିନିଆ ରାସ୍ତା, ସେତୁ ଏବଂ ଦୂରସଞ୍ଚାର ଟାୱାରଗୁଡ଼ିକର ବ୍ୟାପକ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦିଆଯିବ। ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ, ଆଦିବାସୀ ଯୁବକମାନଙ୍କ ପାଇଁ ଆଧୁନିକୀକରଣ ଆବାସିକ ଶିକ୍ଷା ଏବଂ ଲଘୁ ବନଜାତ ଦ୍ରବ୍ୟ ପାଇଁ ସମବାୟ ମୂଲ୍ୟବୃଦ୍ଧି କ୍ଷେତ୍ରରେ ହୋଇଥିବା ପଦକ୍ଷେପ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ।


