ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟର ଘନଘଟା। ଧୀରେ ଧୀରେ ବଳ ଗୋଟାଉଛି ଲଘୁଚାପ। ଆଗାମୀ କିଛି ଦିନ ମଧ୍ୟରେ ଏହା ଅବପାତରୁ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଯଦି ଲଘୁଚାପଟି ବାତ୍ୟାରେ ପରିଣତ ହୁଏ, ତେବେ ଏହାର ନାମ ରହିବ ‘ଅକ୍ଭାନ୍’। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଏହାର ସମ୍ଭାବ୍ୟ ଗତିପଥ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ହୋଇପାରେ। ଫଳରେ ନଭେମ୍ବର ୧୭ରୁ ରାଜ୍ୟରେ ପାଗ ବଦଳିବା ସହ ୧୮ ଓ ୧୯ ତାରିଖରେ ବର୍ଷା, ପବନ ଓ ବଜ୍ରପାତର ଆଶଙ୍କା ରହିଛି।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ଯାଏଁ ବିସ୍ତାରିତ ହୋଇଛି। ପ୍ରାରମ୍ଭିକ ଅବସ୍ଥାରେ ଥିବା ଏହି ଲଘୁଚାପ ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୧୪ ତାରିଖରେ ଏହା ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାକୁ ଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ୧୫ ତାରିଖ ସକାଳେ ଅବପାତର ରୂପ ନେବ।
ଏହାପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ। ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ, ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସ୍ଥାନ ଏବଂ ତୀବ୍ରତା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ।
ବାତ୍ୟାର ସମ୍ଭାବ୍ୟ ଗତିପଥକୁ ନେଇ ଏବେ ପାଣିପାଗ ବିଶେଷଜ୍ଞଙ୍କ ନଜର ବଙ୍ଗୋପସାଗର ଉପରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଲଘୁଚାପଟି ଆଗାମୀ ୪୮ ଘଣ୍ଟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ପରେ ବାୟୁ ପ୍ରବାହର ପ୍ରଭାବରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୋଡ଼ ନେଇ ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।
ତାଙ୍କ ଆକଳନ ଅନୁସାରେ, ନଭେମ୍ବର ୧୭ କିମ୍ବା ୧୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ, ବିଶେଷକରି ବିଶାଖାପାଟଣାରୁ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିପାରେ। ତେବେ ଏହା ବାତ୍ୟାର ନିଶ୍ଚିତ ଗତିପଥ ନୁହେଁ। ଆଗାମୀ ପାଣିପାଗ ତଥ୍ୟ ଉପରେ ଏହାର ଚିତ୍ର ସ୍ପଷ୍ଟ ହେବ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ନଭେମ୍ବର ୧୭ ତାରିଖରୁ ଉପକୂଳ ଓଡ଼ିଶାର ପାଗ ବଦଳିବା ଆରମ୍ଭ ହେବ। ୧୮ ଓ ୧୯ ତାରିଖରେ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ସହ ଝଡ଼ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦେଖି ସମୁଦ୍ରରେ ମଧ୍ୟ ଅଶାନ୍ତି ବଢ଼ିବାର ଆଶଙ୍କା ରହିଛି। ନଭେମ୍ବର ୧୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୫ କିଲୋମିଟର ଛୁଇଁପାରେ। ଏଭଳି ପରିସ୍ଥିତିରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।


