ନୂଆଦିଲ୍ଲୀ : ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ସହ ଭଲ ସୁଧ ପାଇବାକୁ କିଏ ବା ନଚାହେଁ! ବିଶେଷକରି ବଜାରରେ ନିବେଶକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଅନେକ ଲୋକ ଫିକ୍ସଡ୍ ଡିପୋଜିଟ୍ (FD)କୁ ଭରସାଯୋଗ୍ୟ ନିବେଶ ବିକଳ୍ପ ଭାବେ ବାଛୁଛନ୍ତି। କାରଣ ଏଥିରେ ନିବେଶ ସମୟରେ ସୁଧ ହାର ନିର୍ଦ୍ଧାରିତ ହୋଇଥାଏ ଏବଂ ଅବଧି ଶେଷରେ ମିଳିଥାଏ ନିର୍ଦ୍ଧାରିତ ରିଟର୍ଣ୍ଣ। ତେବେ FD କହିଲେ ଅଧିକାଂଶ ଲୋକଙ୍କ ମନକୁ ପ୍ରଥମେ SBI, HDFC କିମ୍ବା ICICI ଭଳି ବଡ଼ ବ୍ୟାଙ୍କର ନାଁ ଆସିଥାଏ। କିନ୍ତୁ ଅଧିକ ସୁଧ ପାଇବାର ଲୋଭରେ ଯଦି ଆପଣ କେବଳ ବଡ଼ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ କିଛି ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କୁ FD ଉପରେ ବାର୍ଷିକ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି।
୮.୨୫% ସୁଧ ଦେଉଛି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ
୧୫ ନଭେମ୍ବର ୨୦୨୬ ସୁଦ୍ଧା ପଇସାବଜାରରେ ଉପଲବ୍ଧ ତଥ୍ୟ ଅନୁସାରେ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ FD ଉପରେ ଆକର୍ଷଣୀୟ ସୁଧ ପ୍ରଦାନ କରୁଛନ୍ତି। ଏହି ତାଲିକାରେ ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ସର୍ବାଧିକ ୮.୨୫ ପ୍ରତିଶତ ସୁଧ ସହ ଶୀର୍ଷରେ ରହିଛି। ସେହିପରି ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୮.୧୦ ପ୍ରତିଶତ ଏବଂ ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୮.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି। ତେବେ ଏହି ସୁଧ ହାର ସବୁ FD ଅବଧି ପାଇଁ ସମାନ ନୁହେଁ। ନିର୍ଦ୍ଦିଷ୍ଟ ସମୟସୀମାର FD ଉପରେ ଏହି ସର୍ବାଧିକ ସୁଧ ମିଳିଥାଏ। ବରିଷ୍ଠ ନାଗରିକଙ୍କ ପାଇଁ କେତେକ ବ୍ୟାଙ୍କ ଅତିରିକ୍ତ ସୁଧ ମଧ୍ୟ ପ୍ରଦାନ କରିଥାନ୍ତି।
ବଡ଼ ବ୍ୟାଙ୍କର FD ସୁଧ ହାର କେତେ?
ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ତୁଳନାରେ ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକର ସର୍ବାଧିକ FD ସୁଧ ହାର କମ୍ ରହିଛି। ତଥ୍ୟ ଅନୁସାରେ:
– କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ: ୬.୮୦%
– HDFC ବ୍ୟାଙ୍କ: ୬.୬୦%
– ଆକ୍ସିସ୍ ବ୍ୟାଙ୍କ: ୬.୬୦%
– ICICI ବ୍ୟାଙ୍କ: ୬.୬୦%
– SBI: ୬.୪୫%
ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ୫୦୦ ଦିନିଆ ସ୍ୱତନ୍ତ୍ର FD ଯୋଜନାରେ ୬.୮୫ ପ୍ରତିଶତ ସୁଧ ମିଳୁଥିବା ତଥ୍ୟରେ ଉଲ୍ଲେଖ ରହିଛି। ଏଥିରୁ ସ୍ପଷ୍ଟ ଯେ ସୁଧ ହାର ଦୃଷ୍ଟିରୁ କିଛି ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ବଡ଼ ବ୍ୟାଙ୍କଗୁଡ଼ିକୁ ପଛରେ ପକାଇଛନ୍ତି।
ପୋଷ୍ଟ ଅଫିସ୍ ଯୋଜନାକୁ ବି ଟକ୍କର ଦେଉଛି FD
ସୁରକ୍ଷିତ ନିବେଶ କଥା ଆସିଲେ ପୋଷ୍ଟ ଅଫିସ୍ ଯୋଜନା ଉପରେ ମଧ୍ୟ ଅନେକ ଲୋକଙ୍କ ଭରସା ରହିଛି। ବିଶେଷକରି ନ୍ୟାସନାଲ୍ ସେଭିଂସ୍ ସାର୍ଟିଫିକେଟ୍ (NSC) ଓ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ଭଳି ଯୋଜନା ନିବେଶକଙ୍କ ପାଇଁ ଆକର୍ଷଣୀୟ ବିକଳ୍ପ।
ଉପଲବ୍ଧ ତଥ୍ୟ ଅନୁସାରେ, ପାଞ୍ଚ ବର୍ଷିଆ NSC ଯୋଜନାରେ ୭.୭୦ ପ୍ରତିଶତ ଏବଂ ପାଞ୍ଚ ବର୍ଷିଆ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ରେ ୭.୫୦ ପ୍ରତିଶତ ସୁଧ ମିଳୁଛି। ଅନ୍ୟପଟେ ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ସର୍ବାଧିକ FD ସୁଧ ହାର ୮.୨୫ ପ୍ରତିଶତ ରହିଛି। ତେଣୁ ଅଧିକ ସୁଧ ଆଶା କରୁଥିବା ନିବେଶକଙ୍କ ପାଇଁ ଏହା ଆକର୍ଷଣୀୟ ହୋଇପାରେ।
କେବଳ ଅଧିକ ସୁଧ ଦେଖି FD କରନ୍ତୁ ନାହିଁ, ଏହି କଥା ଜାଣନ୍ତୁ
FDରେ ନିବେଶ କରିବା ପୂର୍ବରୁ କେବଳ ସୁଧ ହାର ଦେଖି ନିଷ୍ପତ୍ତି ନେବା ଠିକ୍ ନୁହେଁ। ବ୍ୟାଙ୍କର ବିଶ୍ୱସନୀୟତା, ଜମାର ସୁରକ୍ଷା, ଲକ୍-ଇନ୍ ଅବଧି ଏବଂ ଆଗୁଆ ଟଙ୍କା ଉଠାଇବାର ନିୟମ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ।
ବିଶେଷକରି ମନେ ରଖନ୍ତୁ, ଭାରତରେ DICGC ଅଧୀନରେ ପ୍ରତ୍ୟେକ ଜମାକାରୀଙ୍କୁ ଗୋଟିଏ ବ୍ୟାଙ୍କରେ ଥିବା ମୂଳଧନ ଓ ସୁଧ ମିଶାଇ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ସୁରକ୍ଷା ମିଳିଥାଏ। ତେଣୁ ଅଧିକ ରାଶି ନିବେଶ କରିବା ସମୟରେ ଏହି ସୀମାକୁ ଧ୍ୟାନରେ ରଖିବା ଜରୁରୀ।
ଏହାସହ FDର ସୁଧ ଉପରେ ଲାଗୁଥିବା ଟିକସ, TDS ନିୟମ ଏବଂ ଅବଧି ପୂର୍ବରୁ ଟଙ୍କା ଉଠାଇଲେ ଲାଗୁଥିବା ଜରିମାନା ବିଷୟରେ ମଧ୍ୟ ଜାଣିନିଅନ୍ତୁ। ତେଣୁ ଅଧିକ ସୁଧ ପାଇବା ଆଶାରେ ନିବେଶ କରିବା ପୂର୍ବରୁ ସୁଧ ହାର ସହ ଟଙ୍କାର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ।


