ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ସୃଷ୍ଟି କରିବ ହୀରାକୁଦ। ହୀରାକୁଦ ଜଳଭଣ୍ଡାରକୁ ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ କ୍ରୁଜ୍ ପର୍ଯ୍ୟଟନଠାରୁ ଆରମ୍ଭ କରି ଇକୋ ପାର୍କ, ଆଡଭେଞ୍ଚର ଟୁରିଜିମ୍, ଟେଣ୍ଟ ସିଟି ଓ ୱାଟରଫ୍ରଣ୍ଟ ପ୍ରୋମେନାଡ୍ ଭଳି ଆକର୍ଷଣୀୟ ପ୍ରକଳ୍ପ ବିକଶିତ ହେବ। ଏନେଇ ପ୍ରସ୍ତୁତ ମାଷ୍ଟରପ୍ଲାନ୍ ଓ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
କ୍ରୁଜ୍ରେ ହୀରାକୁଦ ଜଳଭଣ୍ଡାର ବୁଲିବେ ପର୍ଯ୍ୟଟକ
ଲୋକସେବା ଭବନରେ ଅନୁଷ୍ଠିତ ମାର୍ଗଦର୍ଶକ କମିଟିର ବୈଠକରେ ହୀରାକୁଦ ପର୍ଯ୍ୟଟନ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ସାଗରମାଳା ଯୋଜନା ଓ ଇନଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆର ସହଯୋଗରେ ହୀରାକୁଦ ଜଳଭଣ୍ଡାରରେ କ୍ରୁଜ୍ ପର୍ଯ୍ୟଟନ ଆରମ୍ଭ ପାଇଁ ନାଭିଗେସନ୍ ରୁଟ୍ ଓ ଟର୍ମିନାଲ୍ ନିର୍ମାଣ ଯୋଜନାର ସମୀକ୍ଷା କରାଯାଇଥିଲା। ସମ୍ବଲପୁରର କାଇଁସର ସ୍କୋୟାର, ଝାରସୁଗୁଡ଼ାର ରାମ୍ପା ଲୁଙ୍ଗା ଏବଂ ବରଗଡ଼ ଜିଲ୍ଲାର ଚାରୋଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ଗୋଟିଏକୁ କ୍ରୁଜ୍ ଟର୍ମିନାଲ୍ ପାଇଁ ଚୟନ କରାଯିବ।
ଧାର୍ମିକ ପର୍ଯ୍ୟଟନକୁ ମିଳିବ ନୂଆ ରୂପ
ହୀରାକୁଦ ପର୍ଯ୍ୟଟନ ମାଷ୍ଟରପ୍ଲାନ୍ରେ ଧାର୍ମିକ ପୀଠଗୁଡ଼ିକର ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମା’ ସମଲେଶ୍ୱରୀ ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବିକାଶ ସହ ହୁମା ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିରର ଉନ୍ନତୀକରଣ କରାଯିବ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଧାର୍ମିକ ପର୍ଯ୍ୟଟନକୁ ନୂଆ ଦିଗ ମିଳିବା ଆଶା ରହିଛି।
ଇକୋ ପାର୍କରୁ ମାଇନ୍ ମ୍ୟୁଜିୟମ୍, ହେବ ଅନେକ ଆକର୍ଷଣ
ପର୍ଯ୍ୟଟକଙ୍କ ପାଇଁ ହୀରାକୁଦ ଅଞ୍ଚଳରେ ଅନେକ ନୂଆ ଆକର୍ଷଣ ସୃଷ୍ଟି କରାଯିବ। ପାୱାର ଚ୍ୟାନେଲ୍ ୱାଟରଫ୍ରଣ୍ଟ ପ୍ରୋମେନାଡ୍, ମହାନଦୀ ଆଇକନିକ୍ ବ୍ରିଜ୍ ଏବଂ ମହାନଦୀ ଦ୍ୱୀପ ପ୍ରକୃତି ଉଦ୍ୟାନ ଓ ପ୍ରୋମେନାଡ୍ ଭଳି ପ୍ରକଳ୍ପ ଯୋଜନାରେ ରହିଛି।
ସେହିପରି ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL) ପକ୍ଷରୁ ମାଇନ୍ ମ୍ୟୁଜିୟମ୍, ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପିରିଏନ୍ସ ସେଣ୍ଟର୍ ଓ ଇକୋ ପାର୍କ ନିର୍ମାଣ ପ୍ରସ୍ତାବ ରହିଛି। ଏନ୍ଟିପିସି ପକ୍ଷରୁ ଏନର୍ଜି ଏକ୍ସପିରିଏନ୍ସ ସେଣ୍ଟର୍ ବିକାଶ ନେଇ ମଧ୍ୟ ଉପସ୍ଥାପନା କରାଯାଇଥିଲା।
ପର୍ଯ୍ୟଟନ ସହ ସ୍ଥାନୀୟ କଳା, ସଂସ୍କୃତି ଓ ହସ୍ତତନ୍ତକୁ ପ୍ରୋତ୍ସାହନ ଦେବାକୁ କର୍ଡୋଲା ଓ ସିଙ୍ଗପାଲିରେ ବୁଣାକାର ଗ୍ରାମ ବିକାଶ ଯୋଜନା ରହିଛି। ଏହା ସହ ଜବାହର ଉଦ୍ୟାନ, ଫ୍ଲୋଟେଲ୍ ଓ ଟେଣ୍ଟ ସିଟି ଭଳି ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା ହୋଇଥିଲା।
ବୈଠକରେ ପର୍ଯ୍ୟଟନ ବିଭାଗର କମିସନର ତଥା ଶାସନ ସଚିବ ବଲୱନ୍ତ ସିଂ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରକଳ୍ପଗୁଡ଼ିକରେ ଗୁଣାତ୍ମକ ମାନ ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହୀରାକୁଦ କେବଳ ଜଳଭଣ୍ଡାର ଭାବେ ନୁହେଁ, ବରଂ ପ୍ରକୃତି, ଧର୍ମ, ସାହସିକ କ୍ରୀଡ଼ା ଓ ଆଧୁନିକ ପର୍ଯ୍ୟଟନର ଏକ ବଡ଼ କେନ୍ଦ୍ର ଭାବେ ପରିଚିତ ହେବ।


