ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରୁ ହିଁ ସରଗରମ ହୋଇପାରେ ଗୃହ। ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଅଣ୍ଟା ଭିଡ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଶାସକ ବିଜେପି ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛି। ଫଳରେ ଏଥର ଶୀତ ଅଧିବେଶନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବା ଆଶା କରାଯାଉଛି।
ଶୀତ ଅଧିବେଶନର ପ୍ରଥମ ଦିନରୁ ହିଁ ସରକାରଙ୍କୁ ଅଡୁଆରେ ପକାଇବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତି ହୋଇଛି। ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଅଭିଯୋଗ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦଳ ମୋସନ ଦେଇଛି। ଏହାବ୍ୟତୀତ ଏମ୍ଏମ୍ଡିଆର୍ (MMDR), ବାର୍ଦ୍ଧକ୍ୟ ଭତ୍ତା, କୋଟିଆ ସୀମା ବିବାଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧାନ ପଞ୍ଜୀକରଣ ଓ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଜବାବ ମାଗିବ ବିଜେଡି।
ସେହିପରି ମହାନଦୀ ଜଳ ବିବାଦ, କେନ୍ଦ୍ରୀୟ ଅବହେଳା, ବେକାରୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବନତି ଭଳି ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବା ସମ୍ଭାବନା ରହିଛି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛି।
ଅନ୍ୟପଟେ ବିରୋଧୀଙ୍କ ଆକ୍ରମଣକୁ ମୁକାବିଲା କରିବାକୁ ଶାସକ ବିଜେପି ମଧ୍ୟ ପ୍ରସ୍ତୁତ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସରକାରଙ୍କ ସଫଳତା ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଗୃହରେ ଉପସ୍ଥାପନ କରିବାକୁ ଶାସକ ଦଳ ଯୋଜନା କରିଛି।
ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଏହି ବଜେଟ ଆଗତ କରିବେ। ତେଣୁ ଅତିରିକ୍ତ ବଜେଟରେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ମିଳୁଛି, ତାହା ଉପରେ ମଧ୍ୟ ରହିବ ସମସ୍ତଙ୍କ ନଜର।
ଅଧିବେଶନର ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ଶକ୍ତି, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ହେବ। ବିଭାଗୀୟ ମନ୍ତ୍ରୀମାନେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିବେ।
ଅଧିବେଶନ ଆରମ୍ଭ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ ରଣନୀତି ଚୂଡ଼ାନ୍ତ ହୋଇଛି। କେଉଁ ପ୍ରସଙ୍ଗକୁ କିପରି ଗୃହରେ ଉଠାଯିବ, ବିରୋଧୀଙ୍କ ଆକ୍ରମଣର ଜବାବ କିପରି ଦିଆଯିବ ଏବଂ ନିଜ ନିଜ ଦଳର ପକ୍ଷ କିପରି ରଖାଯିବ, ସେନେଇ ପ୍ରସ୍ତୁତି ହୋଇଛି।
ମୋଟ ୩୩ଟି କାର୍ଯ୍ୟଦିବସକୁ ନେଇ ଏଥର ଶୀତ ଅଧିବେଶନ ଦୀର୍ଘ ସମୟ ଧରି ଚାଲିବ। ତେଣୁ ଆଗାମୀ ଦିନଗୁଡ଼ିକରେ ଗୃହରେ ତର୍କ, ବିତର୍କ, ହଟ୍ଟଗୋଳ ଓ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବଢ଼ିବା ସମ୍ଭାବନା ରହିଛି।
ଏବେ ନଜର ରହିବ, ବିରୋଧୀଙ୍କ ପ୍ରଶ୍ନବାଣକୁ ଶାସକ ଦଳ କିପରି ସାମ୍ନା କରୁଛି ଏବଂ ଜନସମସ୍ୟା ଉପରେ ବିଧାନସଭାରେ କେତେ ଠୋସ୍ ଆଲୋଚନା ହେଉଛି। ୩୩ ଦିନର ଏହି ଅଧିବେଶନ ରାଜ୍ୟ ରାଜନୀତିକୁ କେତେ ଉଷ୍ମ କରୁଛି, ତାହା ଦେଖିବାକୁ ରହିଲା।


