କରୋନା ଅପ୍‌ଡେଟ୍‌ : 24 ଘଣ୍ଟାରେ ପ୍ରାଣ ହରାଇଛନ୍ତି 31, ଆକ୍ରାନ୍ତଙ୍କ ସଂଖ୍ୟା 10363

Published: Apr 14, 2020, 4:57 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 10363 ରହିଥିବା ବେଳେ ଗତକାଲି 1211 ଜଣ ନୂତନ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ସମୁଦାୟ 1036 ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି 117 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 31 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଆକ୍ରାନ୍ତ ରହିଥିବା ବେଳେ 160 ଜଣଙ୍କର ମୃତ୍ୟୁ ଘଟିଛି ।

କରୋନା ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ନେଇ ମଧ୍ୟ ଅଗ୍ରଓ୍ବାଲ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । ଭାରତରେ ମହଜୁଦ ରହିଥିବା ଟେଷ୍ଟିଂ କିଟ୍‌ର ଉପଯୁକ୍ତ ବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଗ୍ରଓ୍ବାଲ କହିଛନ୍ତି । ଅନ୍ୟୁନ 6 ସପ୍ତାହ ପାଇଁ ଟେଷ୍ଟିଂ କିଟ୍‌ ଦେଶରେ ମହଜୁଦ ରହିଥିବା ବେଳେ ନୂତନ ଭାବରେ ଅଧିକ ଟେଷ୍ଟିଂ କିଟ୍‌ କିଣାଯାଇଛି । ଫଳରେ ଏହାକୁ ନେଇ କେହି ଚିନ୍ତା କରିବା ଅନୁଚିତ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Related posts