Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହତ୍ୟାକାରୀ ଓ ଅଶାଳୀନ ଟେଲିଭିଜନ ବିତର୍କ, ଗଣତନ୍ତ୍ର ଓ ସମ୍ବିଧାନ ଲାଗି ସବୁଠୁ ବଡ ଆତଙ୍କ
ବିଶେଷ ଖବର

ହତ୍ୟାକାରୀ ଓ ଅଶାଳୀନ ଟେଲିଭିଜନ ବିତର୍କ, ଗଣତନ୍ତ୍ର ଓ ସମ୍ବିଧାନ ଲାଗି ସବୁଠୁ ବଡ ଆତଙ୍କ

August 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଗତ ବୁଧବାର ଦିନ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀ ଦେଶର ପ୍ରମୁଖ ଟେଲିଭିଜନ ଚ୍ୟାନେଲ “ଆଜତକ” ର ସାନ୍ଧ୍ୟ ବିତର୍କରେ ଭାଗ ନେଇ ଘରକୁ ଫେରିବାର ଘଣ୍ଟାଏ ଭିତରେ ପ୍ରାଣତ୍ୟାଗ କଲେ। ରୋହିତ ସର୍ଦନା  ନାମକ ଜଣେ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତି। ଏହି କାର୍ଯ୍ୟକ୍ରମର ଶୀର୍ଷକ ହେଉଛି “ଦଙ୍ଗଲ”, ଯାହାର ଅର୍ଥ ହେଉଛି ଆଖଡା। ଆଖଡା, ଯେଉଁଠି ମଲ୍ଲଯୋଦ୍ଧାମାନେ ପରଷ୍ପର ସହିତ କୁସ୍ତି ଲଢିଥାନ୍ତି। ଶୀର୍ଷକରୁ ଆମେ ଅନେକ କଥା ଠଉରାଇପାରିବା। ଯେତେବେଳେ ଏକ ଗଣତାନ୍ତ୍ରିକ ଦେଶର ଗଣମାଧ୍ୟମ ଟେଲିଭିଜନ ବିତର୍କକୁ କୁସ୍ତିବାଜି ବୋଲି ଭାବେ, ସେଠାରେ ଗଣତାନ୍ତ୍ରିକ ବିତର୍କର ମର୍ଯ୍ୟଦା ରହିବ କେମିତି? ସଚରାଚର କୁସ୍ତି ଆଖଡାରେ ଯାହା ହୁଏ ସେହି କାର୍ୟକ୍ରମରେ ତାହା ହିଁ ଘଟିଥିଲା। ଏଥିରେ ନିଜକୁ ଶାସକ ଦଳର ସବୁଠୁ ବଡ ମଲ୍ଲଯୋଦ୍ଧା ଭାବେ ପ୍ରମାଣିତ କରିଥିବା ଆମର ଓଡିଆ ଗୌରବ ଡାକ୍ତର ସଂବିତ ପାତ୍ର ତାଙ୍କର ପ୍ରତିଯୋଗୀ କଂଗ୍ରେସ ଦଳର ରାଜୀବ ତ୍ୟାଗୀଙ୍କୁ “ବିଶ୍ଵାସଘାତକ ଜୟଚନ୍ଦ୍ର” ବୋଲି କହି ନିରନ୍ତର ଆକ୍ରମଣ କରି ଚାଲିଲେ। ସ୍ଵାଭାବିକ ଭାବରେ କୁସ୍ତି ଚରମ ଅବସ୍ଥାରେ ଥିଲା ଓ କୁସ୍ତିର ବିଜେତା ଭାବରେ ସଂବିତ ପାତ୍ର ବଡ ଖୁସି ଜଣାପଡୁଥିଲେ। ଏହାର ଠିକ ଘଣ୍ଟାଏ ପରେ ରାଜୀବ ତ୍ୟାଗୀଙ୍କ ଅପମୃତ୍ୟୁ ଏହି ଘଟଣାକୁ ଏକ ଭିନ୍ନ ମୋଡ ଦେଇଛି।

ଯେଉଁମାନେ ବିଜେପି ବିରୋଧୀ ସେମାନେ ସଂବିତ ପାତ୍ରଙ୍କୁ ଏଥିଲାଗି ଦାୟୀ କରୁଛନ୍ତି। ଏହା ଆଦୌ ଠିକ ନୁହେଁ। ସଂବିତ ପାତ୍ର ଓ ରାଜୀବ ତ୍ୟାଗୀ ପ୍ରଥମଥର ଲାଗି ଏମିତି ବାକ୍ୟ-କୁସ୍ତି କରିନଥିଲେ। ଆଗରୁ ଏ ପ୍ରକାର ମଲ୍ଲଯୁଦ୍ଧ ଆମ ଗଣମାଧ୍ୟମର ଏକ ସ୍ଵାଭାବିକ ଅଂଶ ପାଲଟି ଯାଇଛି। ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତା ଅପେକ୍ଷା ସବୁଠୁ ବଡ ପ୍ରଶ୍ନ ହେଉଛି ରାଜନୈତିକ ବିତର୍କରେ ଶାଳୀନତା ଓ ଭଦ୍ରତାର ମୃତ୍ୟୁ ଲାଗି କିଏ ଦାୟୀ? ଜଣେ ରାଜୀବ ତ୍ୟାଗୀ ନୁହନ୍ତି, ଆମର ଅଭଦ୍ର ଗଣମାଧ୍ୟମର ଆଚରଣ ଯୋଗୁଁ ଦେଶର ସାମ୍ବିଧାନିକ ବିଚାର ଓ ଗଣତନ୍ତ୍ର ପ୍ରତିଦିନ ଟିକେ ଟିକେ ମୃତ୍ୟୁବରଣ କରୁଛି।

ଗଣତନ୍ତ୍ରରେ ବିତର୍କ ଏକ ସ୍ଵାଭାବିକ ବ୍ୟବସ୍ଥା। ବହୁ ମତ, ବହୁ ଦଳ ଓ ବହୁ ବିଚାର- ଏହା ହିଁ ଗଣତନ୍ତ୍ରର ଆଧାର। ଗଣତନ୍ତ୍ରରେ ବିରୋଧ ଥାଏ, ହେଲେ ବିରୋଧ ସବୁବେଳେ ଶାଳୀନତା ଓ ଭଦ୍ରତାର ସୀମା ଭିତରେ ରହିବାକୁ ବାଧ୍ୟ। ୨୦୧୨ ମସିହାରୁ ଭାରତର ଜାତୀୟ ଗଣମାଧ୍ୟମ ଭଦ୍ରତା ଓ ଶାଳୀନତା କୁ ଭୁଲି ସାରିଛି। ୨୦୧୨ରେ ଯେତେବେଳେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଦେଶରେ ଆରମ୍ଭ ହୋଇଥିଲା ସେତେବେଳେ ଆମର ଟେଲିଭିଜନ ସାମ୍ବାଦିକମାନେ ହଠାତ “ଆଂଗ୍ରୀ ୟଙ୍ଗମ୍ୟାନ/ଓମେନ” ଭୂମିକାରେ ଅବତୀର୍ଣ୍ଣ ହେଲେ। ସେତେବେଳର ରାଜନୈତିକ ସ୍ଥିତିକୁ ଦେଖି ତାହା ସରକାର ବିରୋଧୀ ଆକ୍ରୋଶର ପ୍ରତିଫଳନ ବୋଲି ଆମେ ଭାବିଥିଲୁ। ତେବେ ସରକାର ବିରୋଧୀ ଆକ୍ରୋଶରୁ ଆରମ୍ଭ ହୋଇଥିବା ଏ ପ୍ରକାର ସାମ୍ବାଦିକତା ଯେ ପରବର୍ତ୍ତୀ ସମୟରେ ସରକାରୀ ଦଳର ରକ୍ଷାକବଚ ପାଲଟିବ, ଏହା କେହି ସେତେବେଳେ କଳ୍ପନା କରିନଥିଲେ।

୨୦୧୨ରେ ସରକାରଙ୍କୁ କ୍ରୋଧ ଜର୍ଜରିତ ପ୍ରଶ୍ନବାଣରେ ଜର୍ଜରିତ କରୁଥିବା ସାମ୍ବାଦିକମାନେ ସେତେବେଳେ ଅଭଦ୍ରାମି କରିବା ଏକ ସ୍ଵାଭାବିକ ପ୍ରକ୍ରିୟା ବୋଲି ଆମେ ଭାବୁଥିଲୁ। ସମସ୍ତଙ୍କୁ ଲାଗୁଥିଲା ଯେ ସରକାର ବାସ୍ତବରେ ଦୁର୍ନୀତିଗ୍ରସ୍ତ ଓ ସରକାର ବିରୋଧରେ ଏ ପ୍ରକାର କ୍ରୋଧ ନିତାନ୍ତ ଜରୁରୀ। ୨୦୧୪ରେ ସରକାର ବଦଳିଗଲା, କିନ୍ତୁ ଗଣମାଧ୍ୟମର ଅଭଦ୍ର ଓ ଉଗ୍ର ଚେହେରା ଯେମିତି କି ସେମିତି ରହିଲା। ତେବେ ଏହି ପରିବର୍ତ୍ତନରେ ଗୋଟେ ନୂଆ ଦିଗ ଆମେ ଦେଖିଲୁ। ଯେଉଁ ସାମ୍ବାଦିକମାନେ ୨୦୧୪ ଆଗରୁ ସରକାରକୁ ପ୍ରଶ୍ନ କରୁଥିଲେ, ସେମାନେ ହଠାତ ସରକାରଙ୍କ କୋଳରେ ବସି ପଡିଲେ। କ୍ରୋଧୀ ସାମ୍ବାଦିକମାନେ ହଠାତ ସରକାରଙ୍କ ଗୁଣ୍ଡା ହେବାକୁ ନିଜର ସାର୍ଥକତା ବୋଲି ଭାବିଲେ। ସରକାରକୁ ପ୍ରଶ୍ନ ପଚାରିବା ଅପେକ୍ଷା ବିରୋଧୀ ଦଳକୁ ଲହୁ ଲୁହାଣ କରିବା ସାମ୍ବାଦିକତାର ନୂଆ ଲକ୍ଷ୍ୟ ହେଲା।

ଶାସକ ବିଜେପି ନିଜର ଲୋକ ସମ୍ପର୍କ ନୀତିରେ ମଧ୍ୟ ଏହି ସମୟରେ ନୂଆ ପରିବର୍ତ୍ତନ ଆଣିଲା। ଟେଲିଭିଜନ ବିତର୍କରେ ବିଜେପି ପ୍ରବକ୍ତାମାନେ ଅଭଦ୍ର ହେବାକୁ ନିଜର ଯୋଗ୍ୟତା ବୋଲି ଉପସ୍ଥାପନ କଲେ। ସଂବିତ ପାତ୍ର, ଗୌରବ ଭାଟିଆ, ଜିଭିଏଲ ନରସିଂହ ରାଓଙ୍କ ଭଳି ବିଜେପି ପ୍ରବକ୍ତାମାନେ ନିଜର ରାଜନୈତିକ ବିରୋଧୀଙ୍କୁ ଭର୍ତ୍ସନା କରିବା, ଗାଳି କରିବା ଓ କେବେ କେମିତି ହାତ ଉଠାଇବା ଭଳି ପରିସ୍ଥିତି ତିଆରି କଲେ। ଏହାର ଉତ୍ତରରେ ଅନ୍ୟ ଦଳର ପ୍ରବକ୍ତା ମଧ୍ୟ ସେହି ରୀତିରେ ପଡିଲେ। ସବୁଠୁ ଭୟଙ୍କର ସ୍ଥିତି ଆମେ ଦେଖିଲୁ ଦେଶର ସୁରକ୍ଷା ପ୍ରସଙ୍ଗ ଆଲୋଚନା ସମୟରେ। ଦେଶର ସୁରକ୍ଷା ପ୍ରସଙ୍ଗ ଆଲୋଚନା କଲାବେଳେ ଜେନେରାଲ ଜି.ଡି. ବକ୍ସି ସିଧା ସିଧା ଦୋ ଅକ୍ଷରୀ ବ୍ୟବହାର କଲେ। ଟେଲିଭିଜନ ବିତର୍କ ଦେଶର ସବୁଠୁ ଅଭଦ୍ର ଉଦାହରଣ ପାଲଟିଗଲା। ଭଦ୍ରଲୋକମାନେ ଟିଭି ଦେଖିବା ବନ୍ଦ କରିଦେଲେ। ଯେଉଁମାନଙ୍କର ସାମାନ୍ୟ ରୁଚିବୋଧ ଥିଲା, ସେମାନେ ନିଜ ମହତକୁ  ଜଗି ଟିଭି ବିତର୍କରେ ଭାଗ ନେଲେ ନାହିଁ।

ଏହି ଅଭଦ୍ର ପ୍ରକ୍ରିୟାର ଏକ ଚରମ ପରିଣତି ବୋଲି ଆମେ ରାଜୀବ ତ୍ୟାଗୀଙ୍କର ମୃତ୍ୟୁକୁ ବିବେଚନା କରିପାରିବା। ଏହି ଆକସ୍ମିକ ମୃତ୍ୟୁ ଲାଗି କୌଣସି ବ୍ୟକ୍ତି ଦାୟୀ ନୁହନ୍ତି, ବରଂ ଏଥିଲାଗି ପୂରା ଟେଲିଭିଜନ ବିତର୍କ ବ୍ୟବସ୍ଥା ଦାୟୀ। ଯେଉଁ ଆଙ୍କର ଯେତେ ଅଭଦ୍ର ସେହି ଲୋକ ସେତିକି ଲୋକପ୍ରିୟ ବୋଲି ଆମର ଅନୁଭବ ରହିଛି। କୌଣସି ଭଦ୍ର ବା ମାର୍ଜିତ ଦେଶରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭାଷାକୁ ସାମ୍ବାଦିକତାର ଭାଷା ବୋଲି ଗ୍ରହଣ କରା ଯାଇପାରିବ ନାହିଁ। ସାମ୍ବିଧାନିକ ଓ ଗଣତାନ୍ତ୍ରିକ ରାଜନୀତିରେ ବିଜେପି ପ୍ରବକ୍ତାମାନଙ୍କର ଭାଷା କଦାପି ଗ୍ରହଣୀୟ ନୁହେଁ। ସଂଖ୍ୟା ଗରିଷ୍ଠତାର ଅହଂକାର ଗୋଟେ ରାଜନୈତିକ ଦଳର ଭାଷାକୁ ଏତେ ଅଶାଳୀନ କରି ଦେଇଛି ଯେ, ନିଜର ପ୍ରତିପକ୍ଷକୁ ପୋକମାଛି ଭଳି ବ୍ୟବହାର କରିବାକୁ ଏମାନେ ନିଜର ଅଧିକାର ବୋଲି ଭାବୁଛନ୍ତି।

ଏହି ଅଭଦ୍ର ପ୍ରକ୍ରିୟାରେ ସର୍ବାଧିକ କ୍ଷତି ଆମ ଗଣତନ୍ତ୍ରର ହେଉଛି ଓ ଆଗକୁ ମଧ୍ୟ ତାହା ହୋଇ ଚାଲିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.