ବାଣପୁର ଏବଂ ବାଲୁଗାଁର କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା 

Published: Dec 24, 2020, 9:52 pm IST

ଖୋର୍ଦ୍ଧା: କୋଭିଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ପୃକ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବଶ୍ୟକ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏଏସଆଇ ସ୍ଵର୍ଗତ ମୁରଲୀଧର ବଳିଆରସିଂହଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିପରି ଭୁବନେଶ୍ଵର ରିଜର୍ଭ ବାଟାଲିଅନର ପୂର୍ବତନ କନେଷ୍ଟବଳ ସ୍ଵର୍ଗତ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଗତ ବିଜୟ କୁମାର ସାହୁଙ୍କ ପତ୍ନୀ ବିଜୁଳିବତୀଙ୍କୁ ଏବଂ ବାଲୁଗାଁ ଏନଏସିର ଡ୍ରାଇଭର ସ୍ଵର୍ଗତ କବିନ୍ଦ୍ର କୁମାର ଜାଲିଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

Related posts