ପୁଣି ଚର୍ଚ୍ଚାରେ ଗୋପାଳପୁର ପଞ୍ଚାୟତ: ସରକାରୀ ଅଫିସରେ ଚାଲିଛି ଶାସକ ଦଳ ନେତାଙ୍କ ବାର୍ଥ ଡେ ପାର୍ଟି

Published: Jan 18, 2021, 5:44 pm IST

ରମେଶ ମହାନ୍ତି

ଜଗତସିଂହପୁର: ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ପୁଣି ଚର୍ଚ୍ଚାର ପରିଧିକୁ ଆସିଛି। ଶାସକ ଦଳ ନେତାଙ୍କ କାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଶାସକ ଦଳର ନେତା ବୋଲି କ’ଣ ଖୁଲମ ଖୁଲ୍ଲା ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଦେବେ, ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ହେଉଛି ବାର୍ଥ ଡେ ପାର୍ଟି। ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଦେଢଶୁରଙ୍କ ରାଜ୍ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ମହିଳା ସଶକ୍ତିକରଣ ଘୋଷଣା କେତେକ ସ୍ଥାନରେ ଉପହାସରେ ପରିଣତ ହୋଇଥିବା କୁହାଯାଉଛି। ଏମିତିକି କେତେକ ସ୍ଥାନରେ ନାମକୁ ମାତ୍ର ମହିଳାଙ୍କୁ ପଦ ପଦବୀରେ ରଖାଯାଇ ସ୍ୱାମୀ, ଦିଅର, ଦେଢସୁର ମାନେ କାର୍ଯ୍ୟ ସମ୍ଭାଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଉକ୍ତ ପଞ୍ଚାୟତର ଏହି ବାର୍ଥ ଡେ ପାର୍ଟି ଘଟଣା ପ୍ରଘଟ ହେବା ପରେ ଜଗତସିଂହପୁର ଜିଲ୍ଲାପାଳ ତିର୍ତ୍ତୋଲ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ତିର୍ତ୍ତୋଲ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉକ୍ତ ଘଟଣାର ତଦନ୍ତ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ବେଳେ ୭ଦିନ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦେବା ପାଇଁ ଜିପିଓ ଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।

Related posts