କୃଷକ ସଂଗଠନ ମଧ୍ୟରେ ବିବାଦ!: ଶିବ କୁମାର କକ୍କାଙ୍କୁ ଆରଏସଏସ ଏଜେଣ୍ଟ ବୋଲି କହିଲେ ଗୁରନାମ ସିଂହ

Published: Jan 18, 2021, 9:13 pm IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ୫୦ ଦିନରୁ ଉର୍ଦ୍ଧ୍ଵ ଦିନ ଧରି କୃଷି ଆନ୍ଦୋଳନ ଜାରି ରହିଛି। ୪୦ ରୁ ଉର୍ଦ୍ଧ୍ଵ କୃଷକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ହେଲେ ଆନ୍ଦୋଳନରତ କୃଷି ସଂଗଠନ ମଧ୍ୟରେ ଠିକ ଚାଲିନଥିବା ନେଇ ପ୍ରଶ୍ନ ଉଠିଛି।

ପ୍ରକାଶ ଥାଉ କି, ଏଭଳି ପ୍ରଶ୍ନ ସେତେବେଳେ ଉଠିଲା ଯେତେବେଳେ ଭାରତୀୟ କିଷାନ ୟୁନିୟନ ନେତା ଗୁରନାମ ସିଂହ ଚଢୁନୀଙ୍କୁ କୃଷି ସଙ୍ଗଠନରୁ ବାହାର କରି ଦିଆଗଲା। ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ କମିଟି ତିଆରି କରାଗଲା। କୃଷକ ନେତା ଶିବ କୁମାର କକ୍କାଙ୍କ କହିବା ଅନୁଯାୟୀ, ଗୁରନାମ ସିଂହ ବିରୋଧୀ ରାଜନୈତିକ ଦଳ ସାଥିରେ ମିଶୁଥିଲେ ଏବଂ ସେମାନକ ବୈଠକରେ ମଧ୍ୟ ସାମିଲ ହେଉଥିଲେ।

ସେପଟେ ଗୁରନାମ ସିଂହ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଶିବ କୁମାର ଜଣେ ଆରଏସଏସର ଏଜେଣ୍ଟ ଏବଂ ସେ ସେହି ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି।

ଅପରପକ୍ଷେ କୃଷକ ନେତା ପ୍ରେମ କୁମାର ଭଙ୍ଗୁ କହିଛନ୍ତି ଯେ, ବର୍ତ୍ତମାନ ଗୁରନାମଙ୍କ ବିରୋଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବରଂ ଗୋଟିଏ କମିଟି ଗଠନ ପରେ ଗୁରନାମଙ୍କୁ ହାଜିର ହେବାକୁ ପଡ଼ିବ ଏବଂ ସେଥିରେ ସେ ସ୍ପଷ୍ଟୀକରଣ ଦେବେ। ଏହାପରେ ଗୁରନାମଙ୍କୁ ପୁଣି ଥରେ ସଂଯୁକ୍ତ ମୋର୍ଚ୍ଚାରେ ସାମିଲ କରାଯାଇପାରେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ଅଟେ। ତେଣୁ ଅନୁଶାସନ ଭାଙ୍ଗିବା ଏବଂ ଆନ୍ଦୋଳନରେ ରାଜନୀତିକରଣ ହେବାକୁ ଦେବା ଉଚିତ ନୁହଁ। କାରଣ କେନ୍ଦ୍ର ସରକାର ପକ୍ଷରୁ କୃଷି ଆନ୍ଦୋଳନରେ ରାଜନୀତି କରାଯାଉଛି ବୋଲି ବାରମ୍ବାର ଅଭିଯୋଗ କରାଯାଉଛି।

Related posts