ଓଲଟିଲା ବୋଟ: ଅଳ୍ପକେ ବର୍ତ୍ତିଲେ ୯ ପର୍ଯ୍ୟଟକ

Published: Mar 11, 2021, 9:02 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ସମୁଦ୍ର ବୁଲିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଏକ ବେଲୁନ୍ ବୋଟଟି ଓଲଟି ପଡ଼ିଥିବାବେଳେ ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ।

ଘଟଣାରୁ ପ୍ରକାଶ ଯେ, ସବୁଦିନ ପରି ଏକ ୯ ଜଣିଆ ପର୍ଯଟକ ଦଳ ଯେଉଁଥିରେ କି କିଛି ବୃଦ୍ଧ, ଯୁବକ ଏବଂ ପରିବାର ସଦସ୍ୟମାନେ ସମୁଦ୍ର ମଧ୍ୟକୁ ବୁଲିବାକୁ ଏକ ବେଲୁନ୍ ବୋଟ ଭଡ଼ା କରି ଯାଇଥିଲେ। ସମୁଦ୍ର ମଧ୍ୟରୁ ଫେରିବା ବେଳେ ବେଳାଭୂମି ନିକଟରେ କିଛି ବ୍ୟକ୍ତି ବୋଟ ଉପରେ ଛିଡ଼ା ହୋଇହୋଇପଡ଼ିବା ଫଳରେ ବୋଟ୍‌ଟି ଓଲଟି ଯାଇଥିଲା। ଫଳରେ ବୋଟରେ ବସିଥିବା ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ପଡ଼ିଯାଇଥିଲେ। ସଂଗେ ସଂଗେ ବେଳାଭୂମି ନିକଟରେ ଥିବା ଲାଇଫ୍‌ଗାର୍ଡ଼ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତଟ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ। ବୋଟର ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

ତେବେ ଏହି ବୋଟ ପଲଟିବା ପରେ ବୋଟରେ ବୁଲିବା ପାଇଁ ଅନୁମତି ଆଣିଥିବା ସଂସ୍ଥାର ଲୋକେ କେଉଁଆଡ଼େ ଫେରାର୍ ହୋଇଯିବା ଶୁଣିବାକୁ ମିଳୁଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ୍ ଘଟଣାଟିର ଅନୁସନ୍ଧାନ କରୁଛି।

Related posts