କରୋନାକୁ ହରେଇଲେ ୯୪ ବର୍ଷୀୟ ବୃଦ୍ଧ: ସମ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ

Published: Jul 20, 2021, 6:08 pm IST

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍‌ରେ କୋଭିଡ୍‌-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ।

ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌ରେ ଗତ ଜୁଲାଇ ୧୩ ତାରିଖରେ ଭର୍ତି କରାଯାଇଥିଲା। ମଙ୍ଗଳବାର ସୁରଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍ ର ଆବଶ୍ୟକତା ଥିଲା। ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟ ରହିଥିଲା। ହସ୍ପିଟାଲ୍‌ରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ସେବା, ଯତ୍ନ ଓ ଉତମ ଚିକିତ୍ସା ଯୋଗୁଁ ସେ ଘରକୁ ଫେରିପାରିଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୁ ଶ୍ରୀମତି ସୁଲୋଚନା ସାହୁ। ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା ଠିକ୍ କରାଯାଉଥିଲା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ୍ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି।

କରୋନା ମହାମାରୀର ଦ୍ୱିତୀୟ ଲହରୀରେ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଛି।

Related posts