ସ୍ଵଦେଶ ଫେରିଲେ ୧୦୦୦ ଛାତ୍ରଛାତ୍ରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ୪ ହଜାର ଭାରତୀୟଙ୍କୁ ଆଣିବା ଯୋଜନା

Published: Mar 3, 2022, 1:38 pm IST

ନୂଆଦିଲ୍ଲୀ: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏହି ସମୟରେ, ଅପରେସନ୍ ଗଙ୍ଗା ଅଧୀନରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ପାଞ୍ଚଟି ବିମାନରେ ଭାରତ ଫେରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଯୋଜନା ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନେ ସ୍ୱତନ୍ତ୍ର ବିମାନ ଯୋଗେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିଥିଲେ, ଏହି ସମୟରେ ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ସ୍ୱାଗତ କରିଥିଲେ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଅପରେସନ ଗଙ୍ଗା ଅନୁଯାୟୀ ୩ ହଜାର ୭୨୬ ଭାରତୀୟଙ୍କୁ ଆଣିବା ପାଇଁ ଯୋଜନା ହୋଇଛି। ଏଥି ସହିତ ଭାରତୀୟ ବାୟୁସେନା ମୁଖପାତ୍ର କହିଛନ୍ତି ଯେ, ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ୟୁକ୍ରେନ ନିକଟବର୍ତ୍ତୀ ବିଭିନ୍ନ ସ୍ଥାନକୁ ଭାରତୀୟ ବାୟୁସେନା ଆହୁରି ତିନୋଟି ବିମାନ ଚଳାଚଳ କରୁଛି।

କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି କହିଛନ୍ତି ଯେ, ଅପରେସନ୍ ଗଙ୍ଗା ଅଧୀନରେ ଭାରତର ସମସ୍ତ ନାଗରିକଙ୍କୁ ଫେରାଇ ଆଣିବା ହେଉଛି ଭାରତର ସାମର୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଦେଶରୁ ଫେରାଇ ଅଣାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନିରନ୍ତର ନେତୃତ୍ୱ ନେଉଛନ୍ତି। ଭାରତୀୟ ନାଗରିକମାନେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ଭାରତ ମାତା କି ଜୟର ସ୍ଲୋଗାନ ଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Related posts