ଚିଲିକାରୁ ମୃତ ଡ଼ଲଫିନ ଉଦ୍ଧାର

Published: May 9, 2022, 10:55 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସନ୍ଧ୍ୟାରେ ଚିଲିକାରୁ ଏକ ଡ଼ଲଫିନର ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଠାରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସୋର୍ଟର ଜେଟି ନିକଟସ୍ଥ ଚିଲିକା ହ୍ରଦ ଭିତରେ ଏକ ୫ ଫୁଟ ଲମ୍ବର ମୃତ ଡ଼ଲଫିନ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଯୁବକ ମାନେ ସଙ୍ଗେ ସଙ୍ଗେ ଚିଲିକା ପାଣି ଭିତରେ ପଶି ମୃତ ଡ଼ଲଫିନକୁ ବାହାରକୁ ଆଣିଥିଲେ। ପରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଗୌରାଙ୍ଗ ପ୍ରଧାନଙ୍କ ସହ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରି ରମ୍ଭା ନେଇଯାଇଛନ୍ତି।

ତେବେ ଡଲଫିନ୍ ଟିର ମୃତ୍ୟୁ କିପରି ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଠ ଜଣାପଡ଼ିବ ବୋଲି ରେଞ୍ଜର ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ କିଛି ମାସ ତଳେ ଏହି ସ୍ଥାନରୁ ଦୁଇଟି ମୃତ ଡ଼ଲଫିନ ଉଦ୍ଧାର ହୋଇଥିବା ବେଳେ ରମ୍ଭା ନିକଟରେ ଗୋଟିଏ ମୃତ ଡ଼ଲଫିନ ଚିଲିକା ହ୍ରଦରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଚିଲିକା ହ୍ରଦରେ ବହୁ ସଂଖ୍ୟକ ଡ଼ଲଫିନ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଯାହା ଫଳରେ ବିଭିନ୍ନ କାରଣରୁ ଡ଼ଲଫିନ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ନେଇ ଏବେ ପରିବେଶବିତ୍ ମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

Related posts